ସଂଚାର ବ୍ୟୁରୋ: ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ। ଶୁକ୍ରବାର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ହଜାର ପାର୍ କରିଛି। ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ରାଉରକେଲା ଓ ଭୁବନେଶ୍ୱର ସହର। ଗତକାଲି ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମୋଟ ୨ହଜାର ୪୭୧ରେ ପହଞ୍ଚିଛି।
କେବଳ ସୁନ୍ଦରଗଡ଼ରେ ୭୨୭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରେ ୫୯୫ ଜଣ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ କମ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ଅନ୍ୟପକ୍ଷରେ କଟକ, ବଲାଙ୍ଗିର ଏବଂ ବାଲେଶ୍ୱରରେ ରୋଗୀଙ୍କ ସଂଖ୍ୟା ମଧ୍ୟ ଶହେ ଉପରେ ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମନିଟରିଂ କରାଯାଉଥିବା ବେଳେ ସୁନ୍ଦରଗଡ଼, ଭୁବନେଶ୍ୱର ଓ କଟକରେ ସ୍ପେଶାଲ୍ ଡ୍ରାଇଭ୍ ମୋଡ଼ରେ ଅଛନ୍ତି ସରକାର। ଟେଷ୍ଟିଂକୁ ମଧ୍ୟ ବଢ଼ାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି।
ରାଉରକେଲା ଓ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବା ଯୋଗୁଁ ବିଏମ୍ସି ଓ ଆର୍ଏମ୍ସିକୁ ଦାୟୀ କରିଛନ୍ତି ସାଧାରଣ ଲୋକ। ଉଭୟ ମହାନଗର ନିଗମ ପକ୍ଷରୁ ଉଚିତ ପଦକ୍ଷେପ ନିଆଯାଉନଥିବାରୁ ସ୍ଥିତି ବଢ଼ୁଛି ବୋଲି କୁହାଯାଉଛି। ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି। ଏବେଠାରୁ ପଦକ୍ଷେପ ନେବେ ନେଲେ ଆଗାମୀ ଦିନରେ ସଂଖ୍ୟା ହ୍ରାସ କରାଯାଇପାରିବ। ନଚେତ୍ ଆଗକୁ ସ୍ଥିତି ଅଣାୟତ୍ତ ହେବ ବୋଲି କୁହାଯାଉଛି। ବିଶେଷକରି ପାଣି ଜମୁଥିବା ସ୍ଥାନ ଓ ମଶା ବଂଶ ନାଶ ଉପରେ ଫୋକସ୍ କରିବାକୁ କହିଛନ୍ତି ବିଶେଷଜ୍ଞ।