ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବା ପରେ GRAP-1 କଟକଣା ଲାଗୁ କରାଯାଇଛି । ଶୀତଦିନ ନ ଆସୁଣୁ, ଦିଲ୍ଲୀରେ କଟକଣା ଲାଗୁ ଆରମ୍ଭ ହୋଇଛି । ବୁଧବାର ସକାଳ ୯ଟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୩୩ ରେକର୍ଡ କରାଯାଇଛି ।
GRAP-1 ଅନୁଯାୟୀ, ହୋଟେଲ ଓ ରେଷ୍ଟୁରାଣ୍ଟରେ କୋଇଲା ବ୍ୟବହାର ଉପରେ କଟକଣା ଲଗାଯାଇଥାଏ । ଡିଜେଲ ଜେନେରେଟର କେବଳ ଜରୁରୀ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ରହିଥାଏ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାସ୍ତା ସଫା କରିବା, ଧୂଳି ରୋକିବାକୁ ପାଣି ସିଞ୍ଚନ, ନିର୍ମାଣ କାର୍ଯ୍ୟ ଉପରେ ନଜର ଏବଂ ଆବର୍ଜନା ପରିଚାଳନାକୁ ଗୁରୁତ୍ୱ ଦିଆଯାଏ ।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ବୁଧବାର ଦିଲ୍ଲୀର ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ପାଲମରେ ୧୭.୮ ଡିଗ୍ରୀ, ଲୋଧି ରୋଡ୍ରେ ୧୭.୭ ଡିଗ୍ରୀ, ରିଜ୍ରେ ୧୯.୧ ଡିଗ୍ରୀ ଏବଂ ଆୟାନଗରରେ ୧୭.୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, AQI ୦–୫୦ ମଧ୍ୟରେ ରହିଲେ ଭଲ, ୨୦୧–୩୦୦ ଖରାପ, ୩୦୧–୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୧–୫୦୦ ଗମ୍ଭୀର ଶ୍ରେଣୀରେ ରହିଥାଏ । ଦିଲ୍ଲୀର AQI ୨୩୩ ଥିବାରୁ ଏଠାରେ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି ।
