ସଂଚାର ବ୍ୟୁରୋ: ଗତ କିଛିଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ । ବାୟୁର ମାନ ୪୦୧ରୁ ୪୫୦ କୁ ବୃଦ୍ଧି ପାଇଛି। ଉତ୍କଟ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଜିଆରଏପି ୩ କଟକଣା ଲାଗୁ କରାଯାଇଛି । ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଓ ଗୌତମ ବୁଦ୍ଧ ନଗରରେ ଥିବା ସ୍କୁଲଗୁଡ଼ିକ ୫ମ ଶ୍ରେଣୀ ଯାଏ ହାଇବ୍ରିଡ ମଡେଲରେ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ଭିତରକୁ ଡିଜେଲ ଚାଳିତ ମାଲ ପରିବହନ ଗାଡ଼ି ପ୍ରବେଶକୁ ନିଷେଧ ରହିଛି। ସେହିପରି ବିଏସ ୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ଚାଳିତ ଲାଇଟ ମଟୋର ଗାଡ଼ି ଉପରେ ମଧ୍ୟ କଟକଣା ଲାଗୁ ହେବ। କୌଣସି ପ୍ରକାର ଉଚ୍ଛେଦ କିମ୍ବା ନିର୍ମାଣଧିନ କାମ ଉପରେ ମଧ୍ୟ ରୋକ ଲାଗିଛି।