ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମ ସ୍ଥିତ ତାଙ୍କ ଘରୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ । ଶନିବାର ସକାଳ ପ୍ରାୟ ୮ଟା ସମୟରେ ପୋଲିସ ତାଙ୍କୁ ନିଜ ଘରୁ ନେଇଥିବା ସୂଚନା ମିଳିଛି । ଗୁରୁଗ୍ରାମର ସେକ୍ଟର-୫୬ ସ୍ଥିତ କେନ୍ଦ୍ରୀୟ ବିହାରରେ ଧ୍ରୁବଙ୍କ ଘର ରହିଛି । ଆଜି ଜନ୍ତରମନ୍ତରରେ ହେବାକୁ ଥିବା CJP ପ୍ରତିବାଦରେ ଧ୍ରୁବ ସାମିଲ ହେବାର କାର୍ଯ୍ୟକ୍ରମ ଥିଲା । ଧ୍ରୁବ ରାଠୀ ଲଗାତାର ଏହି ପ୍ରତିବାଦକୁ ସମର୍ଥନ କରିଆସୁଥିଲେ । ଗୋଟେ ଦିନ ପୂର୍ବରୁ ଧ୍ରୁବ ଇଣ୍ଡିଆ ଗେଟ୍ ଯାଇଥିଲେ ।
ସୂଚନା ମୁତାବକ, ବିଳମ୍ବିତ ରାତିରୁ ଧ୍ରୁବ ରାଠୀଙ୍କ ଘର ବାହାରେ ପ୍ରାୟ ୫୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ପୋଲିସ ଟିମ୍ ଉପସ୍ଥିତ ଥିଲା । ଶନିବାର ସକାଳ ପ୍ରାୟ ୮ଟାରେ ଦିଲ୍ଲୀ ପୋଲିସର ଟିମ୍ ତାଙ୍କ ବାସଭବନରେ ପହଞ୍ଚି ଧ୍ରୁବଙ୍କ ଘର ଭିତରୁ ପ୍ରବେଶ କରି ତାଙ୍କୁ ସାଙ୍ଗରେ ଉଠାଇ ନେଇଛି ।
ଧ୍ରୁବ ରାଠୀ ଅକ୍ଟୋବର ୮ ତାରିଖରେ ଭାରତରେ ପହଞ୍ଚିଥିଲେ । ଭାରତ ଆସିବା ପରେ ସେ ପ୍ରଥମେ ବେଙ୍ଗାଲୁରୁରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୋଗ ବିରୋଧରେ ହୋଇଥିବା ପ୍ରତିବାଦରେ ସାମିଲ ହୋଇଥିଲେ । ଅକ୍ଟୋବର ୯ ତାରିଖ ରାତିରେ ସେ ଦିଲ୍ଲୀରେ ପହଞ୍ଚିଥିଲେ । ଇଣ୍ଡିଆ ଗେଟରୁ ସେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ପରେ ସେ ଗୁରୁଗ୍ରାମସ୍ଥିତ ନିଜ ଘରକୁ ଫେରିଥିଲେ ।
ଶନିବାର ଜନ୍ତରମନ୍ତରରେ ହେବାକୁ ଥିବା ପ୍ରତିବାଦରେ ସେ ଯୋଗଦେବାକୁ ଥିବା ବେଳେ ତାଙ୍କୁ ପୋଲିସ ହେପାଜତକୁ ନେଇଥିବା ଜଣାପଡିଛି । ତେବେ କେଉଁ ମାମଲାରେ ଧ୍ରୁବ ରାଠୀଙ୍କୁ ହେପାଜତକୁ ନିଆଯାଇଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।

