ସଂଚାର ବ୍ୟୁରୋ: ଦିଲ୍ଲୀରେ ସୁଧୁରୁନି ବନ୍ୟା ସ୍ଥିତି। ଆଜି ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ମୟୂର ବିହାର ସମେତ ଲୋହେ କା ପୁଲ୍ ଅଞ୍ଚଳରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଯମୁନା ନଦୀ। ଏହି ନଦୀର ଭୟଙ୍କର ରୂପରେ ଦିଲ୍ଲୀ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଛି। ଜଳସ୍ତର ଅଳ୍ପ ଟିକେ କମିଥିଲେ ମଧ୍ୟ ସ୍ଥିତିରେ ସେମିତି ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ। ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ଥିବାରୁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଉଛି। ହଜାର ହଜାର ଲୋକ ଜଳବନ୍ଦୀ। ସିଭିଲଲାଇନ୍ସ ଏବଂ ସ୍ଵାମୀ ନାରାୟଣ ମନ୍ଦିର ଅଂଚଳରେ ମଧ୍ୟ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ମୋନାଷ୍ଟ୍ରି ମାର୍କେଟ, ଯମୁନା ବଜାର, ବସୁଦେବ ଘାଟ ସ୍ଥିତି ସଂଗୀନ। ଲୋକେ ନିଜେ ନିଜ ଚେଷ୍ଟାରେ ପାଣି ବାହାର କରିବାକୁ ଚେଷ୍ଟା କରୁଛନ୍ତି ।

