ସଂଚାର ବ୍ୟୁରୋ: ଦିଲ୍ଲୀ ମଡେଲ ଟାଉନ ଅଞ୍ଚଳରେ ଭୁଶୁଡିଲା କୋଠା। ଧ୍ବଂସସ୍ତୂପ ଭିତରେ କେତେକ ଲୋକ ଫସିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ଯରୁ ୨ ଜଣ ଗୁରୁତର ଅଛନ୍ତି। ପୁନର୍ନିମାଣ ଲାଗି କୋଠାକୁ ଭଙ୍ଗାଯାଉଥିବାବେଳେ ତାହା ଭୁଶୁଡି ପଡିଥିଲା। ତିନିଟି ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ପୋଲିସ କହିଛି ମଡେଲ ଟାଉନ ଅଞ୍ଚଳରେ ଅବସ୍ଥିତ ମହେନ୍ଦ୍ର ଏନକ୍ଲେଭରେ ଏହି ପୁରୁଣା କୋଠାଟି ଭୁଶୁଡି ଯାଇଥିଲା। ଗତ ଅଗଷ୍ଟ ୨ ତାରିଖରେ ଉତ୍ତର ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ଇଲାକାରେ ଏକ ୨ ମହଲା କୋଠା ଭୁଶୁଡ଼ିଯିବାରୁ ୩ ଜଣ ବ୍ଯକ୍ତିଙ୍କ ମୃତ୍ଯୁ ଘଟିଥିଲା।