ଚଳିତ ଆଇପିଏଲ୍ ୪୮ତମ ଲିଗ୍ ମୁକାବିଲାରେ ଆଜି ଦିଲ୍ଲୀ ଘରୋଇ ଗ୍ରାଉଣ୍ଡ୍ରେ ଚେନ୍ନାଇକୁ ଭେଟିବ । ଉଭୟ ଦଳ ପାଇଁ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଉଭୟ ଦଳ ୯ଟି ଲେଖାଏଁ ଲିଗ୍ ମ୍ୟାଚ ଖେଳିଛନ୍ତି ଓ ୪ ବିଜୟ ସହ ୮ ପଏଣ୍ଟ ଲେଖାଏଁ ପାଇଛନ୍ତି । ପଏଣ୍ଟ ତାଲିକାରେ ଚେନ୍ନାଇ ଷଷ୍ଠ ଓ ଦିଲ୍ଲୀ ସପ୍ତମ ସ୍ଥାନରେ ରହିଛନ୍ତି । ଦିଲ୍ଲୀ ଆଜିର ମ୍ୟାଚ୍ ଜିତିଲେ ଚେନ୍ନାଇକୁ ପଛରେ ପକାଇ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇ ପାରିବ । ଚେନ୍ନାଇ ଜିତିଲେ ପୂର୍ବ ସ୍ଥାନ ବଜାୟ ରଖିବ । ଉଭୟ ଦଳର ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । କେହି ସ୍ଥିର ପ୍ରଦର୍ଶନ କରିପାରୁ ନାହାନ୍ତି । ତଥାପି ଆଜି ଚେନ୍ନାଇ ପଲା ଭାରି ରହିବା ଆଶା କରାଯାଉଛି ।
ଉଭୟ ଦଳ ମଧ୍ୟରେ ମୋଟ୍ ୩୨ଟି ମ୍ୟାଚ ଖେଳାଯାଇଛି । ଏଥିରୁ ଚେନ୍ନାଇ ୨୦ଟି ମ୍ୟାଚ ଜିତିଛି । ଚଳିତ ସିଜନରେ ଉଭୟ ଦଳ ଗତ ମାସ ୧୧ ତାରିଖରେ ପରସ୍ପରକୁ ଭେଟିଥିଲେ । ଚେନ୍ନାଇ ୨୩ ରନ୍ ଉକ୍ତ ମ୍ୟାଚ ଜିତିଥିଲା । ଏଥର ଦିଲ୍ଲୀ ନିଜ ଘରୋଇ ଗ୍ରାଉଣ୍ଡରେ ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।
ଆଜି ଦିଲ୍ଲୀ ଦଳରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ । ଗତ ୨୫ ତାରିଖରେ ପଞ୍ଜାବ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଆହତ ହୋଇଥିବା ଲୁଙ୍ଗି ଏନ୍ଗିଡ଼ି ଫିଟ୍ ଘୋଷିତ ହୋଇଛନ୍ତି । ଫଳରେ ସେ ଆଜି ଏକାଦଶକୁ ଫେରିବେ ଓ କେଲି ଜାମିସନ ଏକାଦଶରୁ ବାଦ ପଡ଼ିବେ । ଡେଭିଡ ମିଲର ଖେଳିବା ସମ୍ଭାବନା ନାହିଁ । ସାହିଲ ପରଖ ଫିଟ୍ ହୋଇ ନଥିବାରୁ ମଧ୍ୟ ଖେଳିବେ ନାହିଁ । ପଥୁମ ନିଶଙ୍କ ଓପନ କରିବା ନିଶ୍ଚିତ । ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ଦଳ ସହ ଦିଲ୍ଲୀ ଯାତ୍ରା କରି ନାହାନ୍ତି । ତେଣୁ ସେ ଆଜି ଖେଳିବେ ନାହିଁ । ସେହିପରି ଉର୍ଭିଲ ପଟେଲଙ୍କୁ ବାଦ ଦେଇ ତାଙ୍କ ସ୍ଥାନରେ ସର୍ଫରାଜ ଖାନଙ୍କୁ ଫେରାଇ ଆଣିବାକୁ ଚେନ୍ନାଇ ଚିନ୍ତା କରୁଛି ।
ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ କାକର ଯୋଗୁଁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଫଳରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଦିଲ୍ଲୀ: ପଥୁମ ନିଶଙ୍କା, କେଏଲ ରାହୁଲ, ନୀତିଶ ରାଣା, ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ ଶର୍ମା, ସମୀର ରିଜଭୀ, ଅକ୍ଷର ପଟେଲ (ଅଧିନାୟକ), ବିପ୍ରଜ ନିଗମ, ମିଚେଲ ଷ୍ଟାର୍କ, ଲୁଙ୍ଗି ଏନଗିଡ଼ି, କୁଲଦୀପ ଯାଦବ, ଟି ନଟରାଜନ ।
ଚେନ୍ନାଇ: ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍ (ଅଧିନାୟକ), ସର୍ଫରାଜ ଖାନ, କାର୍ତ୍ତିକ ଶର୍ମା, ଡିୱାଲ୍ଡ ବ୍ରେଭିସ୍, ଶିବମ ଦୁବେ, ଜାମି ଓଭରଟନ, ପ୍ରଶାନ୍ତ ବୀର, ନୂର ଅହମ୍ମଦ, ଅଂଶୁଲ କାମ୍ବୋଜ, ଆକାଶ ମଧୱାଲ, ମୁକେଶ ଚୌଧୁରୀ

