ସଂଚାର ବ୍ୟୁରୋ: ସମୁଦ୍ରରୁ ଶକ୍ତି ସଂଗ୍ରହ କରି ମାଡ଼ି ଆସୁଛି ବାତ୍ୟା ମୋନ୍ଥା । ଆଜି ସକାଳେ ସିଭୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ମୋନ୍ଥା । ଘଣ୍ଟାକୁ ୧୭ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ମଛଲିପଟନମ ଠାରୁ ୨୩୦, କାକିନାଡ଼ା ଠାରୁ ୩୧୦ କିମି ଦୂରରେ ରହିଛି । ଏବେ ଗୋପାଳପୁର ଠାରୁ ୫୭୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଘଣ୍ଟାକୁ ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବହୁଛି । ଝଟକା ପବନର ବେଗ ରହିଛି ୧୧୦ କିଲୋମିଟର । ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ରହିବ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର । ଝଟକା ବପନର ବେଗ ୧୧୦ କିମି ହୋଇପାରେ । ଲ୍ୟାଣ୍ଡଫଲ ପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବ ବାତ୍ୟା ମୋନ୍ଥା । ଛତିଶଗଡ଼ ମୁହାଁ ହୋଇ ଦୂର୍ବଳ ହେବ ।
ସେପଟେ ମୋନ୍ଥା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ପବନ ଲାଗି ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଥାନେ ସ୍ଥାନେ ବର୍ଷୁଛି । ଆଜି ଓ ଆସନ୍ତାକାଲି ଭୀଷଣରୁ ଅତି ଭୀଷଣ ବର୍ଷା ହେବ । ଦକ୍ଷିଣ ଓଡ଼ିଶାକୁ ବୁଡ଼ାଇବ ବର୍ଷା । ଦୁଇ ଦିନ ପାଇଁ ରେଡ ୱାର୍ଣ୍ଣିଂ ଜୋନ ଭିତରେ ରହିବ ଦକ୍ଷିଣ ଓଡ଼ିଶାରେ ୭ ଜିଲ୍ଲା । ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଜିଲ୍ଲା ପାଇଁରେ ରେଡ୍ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଥିବା ବେଳେ ଆସନ୍ତାକାଲି ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସାରା ଓଡ଼ିଶାରେ ବାତ୍ୟା ମୋନ୍ଥାର ପ୍ରଭାବ ରହିବ ।

