ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଆସନ୍ତା 24 ଘଣ୍ଟାରେ ସଦୃଶ୍ୟ ଲଘୁଚାପରେ ପରିଣତ ହେବ। କିନ୍ତୁ ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ। ୫ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ରହିଥିବା ବେଳେ ଆସନ୍ତା ୨୪ ଘଂଟାରେ ଗଜପତି ,ଗଂଜାମ, ନୟାଗଡ, ଖୋର୍ଦ୍ଧା,କଟକ ,କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ମୟୁରଭଞ୍ଜ ୧୩ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ୩୦ ରୁ ୫୦ କିମି ଝଟକା ପବନ ବହିବାର ସମ୍ଭାବନା ଥିବା ବେଳେ ୟେଲୋ ଓ୍ବାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୧୮ରୁ ରାଜ୍ୟରେ ପାରଦ ପୁଣି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମେ ଦ୍ଵିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେଉଛି। ତେଣୁ ଏଥର ସ୍ୱାଭାବିକ ସମୟ ମଧ୍ୟରେ ଆସିବ ମୌସୁମୀ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଦେଶରେ ଏବେ ପ୍ରାକ୍ ମୌସୁମୀ ସମୟ ଚାଲିଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ ହେଉଛି। ଏହି ସପ୍ତାହର ଶେଷ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅର୍ଥାତ୍ ସ୍ବାଭାବିକ ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ସ୍ପର୍ଶ କରିବା ଏଥିସହ କେରଳ ଓ ଓଡ଼ିଶାକୁ ମୌସୁମୀ କେବେ ଆସିବ, ସଅଳ ଆସିବ କି ଠିକ୍ ସମୟରେ ଆସିବ ତାହା ମେ’ ୧୫ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ମନ୍ନାର ଉପସାଗର ଓ ଶ୍ରୀଲଙ୍କା ଉପରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଉତ୍ତର ଶ୍ରୀଲଙ୍କା ଉପକୂଳସ୍ଥିତ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଞ୍ଚଳରେ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ପତ୍ତନଠାରୁ ୪.୫ କିମି ଉଚ୍ଚତାରେ ରହିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ବିଶେଷ କିଛି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି।

