କଟକ ବଡ଼ ମେଡିକାଲରେ ବିରଳ ଅସ୍ତ୍ରୋପଚାର ଘଟଣା । ପୁଣି ଅସ୍ତ୍ରୋପଚାର କରି ଗୋଡଟି ବାହାର କରି ଦେଇଛନ୍ତି ଡାକ୍ତର । ମୟୁରଭଞ୍ଜ ବେତନଟୀରେ ସଡକ ଦୁର୍ଘଟଣାରେ ବାମଗୋଡ ହରାଇଥିଲେ ୮ ବର୍ଷର କୁନି ଝିଅ ବୈଷ୍ଣବୀ । ନିକଟରେ କଟକ ବଡ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇ କଟିଥିବା ଗୋଡକୁ ପୁଣି ଥରେ ଲଗାଯାଇଥିଲା । ତେବେ ଅସ୍ତ୍ରୋପଚାରର ତିନିଦିନ ପରେ ଯୋଡା ଗୋଡରେ ସଂକ୍ରମଣ ଗୁରୁତର ହେବାରୁ ପୁଣି ଅସ୍ତ୍ରୋପଚାର କରାଯାଇ ଗୋଡଟି ବାହାର କରି ଦେଇଛନ୍ତି ଡାକ୍ତର । ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ କହିଛନ୍ତି ଦୁଇ ଦିନ ପରେ ଆମେ ଆଶା ରଖିଥିଲୁ ସଂକ୍ରମଣ ନିୟନ୍ତ୍ରଣ ହୋଇଯିବ। ତେବେ ଏପରି ହେଲାନାହିଁ । ବାଧ୍ୟ ହୋଇ ପିଲାଟିକୁ ବଞ୍ଚାଇବାକୁ ଏପରି ନିଷ୍ପତ୍ତି ନେଲୁ। ଏହା କୌଣସି ପ୍ରକାର ଡାକ୍ତରୀ ଟିମର ବୈଷୟିକ ବା ପାରଦର୍ଶିତାର ବିଫଳତା ନୁହେଁ। ଆଗକୁ ପିଲାଟି ଭଲ ହେଲେ ତା କଟା ଗୋଡରେ ପ୍ରୋଷ୍ଟୋସିସ୍ ବା କୃତ୍ରିମ ଗୋଡ ଲଗାଯିବ । ଫଳରେ ସେ ପୂର୍ବ ପରି ଚଲାବୁଲା କରି ପାରିବ ବୋଲି ଡାକ୍ତର କହିଛନ୍ତି।