କଟକ ଡିସିପି ଭାବେ ଦାୟିତ୍ଵ ନେଇଛନ୍ତି ଖିଲାରୀ ଋଷିକେଶ ଦ୍ୟାନଦେଓ । କଟକ ଡିସିପି ଭାବେ ଜଗମୋହନ ମୀନା ମାତ୍ର ୧୫୭ଦିନ ଦାୟିତ୍ଵରେ ରହିବା ପରେ ତାଙ୍କ ବଦଳି ହୋଇଛି । ତାଙ୍କ ସ୍ଥାନରେ ଖିଲାରୀ ଋଷିକେଶ ଦ୍ୟାନଦେଓ କଟକର ନୂଆ ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ୨୦୧୬ ବ୍ୟାଚ ଆଇପିଏସ୍ ଅଫିସର ଖିଲାରୀ ଋଷିକେଶ ଦ୍ୟାନଦେଓ ପୂର୍ବରୁ ବଲାଙ୍ଗୀର ଏସପି ଥିଲେ । ୧୯୯୦ ଫେବ୍ରୁଆରୀ ୨୩ରେ ମହାରାଷ୍ଟ୍ରରେ ଜନ୍ମିତ ଦ୍ୟାନଦେଓ ଜୁନିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡର ଓଡ଼ିଶା କ୍ୟାଡର ଆଇପିଏସ୍ ଭାବେ କାମ କରୁଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଦ୍ୟାନଦେଓ ଦାୟିତ୍ଵ ଗ୍ରହଣ କରିବା ଅବସରରେ ମହିଳାଙ୍କ ସୁରକ୍ଷା, ସାଇବର କ୍ରାଇମ, ବରିଷ୍ଠ ନାଗରିକଙ୍କ ସୁରକ୍ଷା, ପେସାଦାର ଅପରାଧୀଙ୍କ ଉପରେ ନଜର ରଖିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ କହିଛନ୍ତି । ଏଆଇ ବୈଷୟିକ ଜ୍ଞାନକୌଶଳକୁ ମଧ୍ୟ ତଦନ୍ତରେ ବ୍ୟବହାର କରାଯିବ । ସହରରେ ଥିବା ସିସିଟିଭି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ । ସବୁଠାରୁ ଅଧିକ ଦାୟିତ୍ଵ ରହିବ ସାଧାରଣ ଲୋକଙ୍କ କଥା ଶୁଣିବା ଏବଂ ବିଶ୍ବାସଭାଜନ ହେବା । ଦାୟିତ୍ଵ ହସ୍ତାନ୍ତର ଅବସରରେ ଡିସିପି ଜଗମୋହନ ମୀନା ଗତ ୫ ମାସର କାର୍ଯ୍ୟକାଳକୁ ନେଇ ଖୁସିଥିବା କହିଛନ୍ତି । କଟକରେ କାମ କଲା ବେଳେ ଯାହା ଶିଖିଛନ୍ତି, ତାହାକୁ ଭୁବନେଶ୍ଵରରେ କାମରେ ଲଗାଇବେ ବୋଲି କହିଛନ୍ତି ଜଗମୋହନ ମୀନା ।