କଲମ୍ବିଆରେ ପ୍ରକୃତିର ଭୟଙ୍କର ତାଣ୍ଡବ । ୭.୪ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା କଲମ୍ବିଆ । ଏହି ଭୂକମ୍ପ ଝଟକା ଫଳରେ ମୃତ୍ୟୁସଂଖ୍ୟା ୧୧୧ରେ ପହଞ୍ଚିଛି । ଭୂକମ୍ପର ଝଟ୍କାରେ ଶହ ଶହ ଘର ଓ କୋଠା କ୍ଷତିଗ୍ରସ୍ତ ହୋଇଛି, ଅନେକ ଘର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ଭଗ୍ନାବଶେଷ ତଳେ ଏବେ ବି ଅନେକ ଲୋକ ଫସିଥିବା ଆଶଙ୍କା କରାଯାଉଛି, ଯାହାଫଳରେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଭୂକମ୍ପ ପରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଆହୁରି ଜୋରଦାର କରାଯାଇଛି । ପଶ୍ଚିମ କଲମ୍ବିଆର କାଲି, କ୍ୱିବ୍ଡୋ, ପେରେଇରା ଏବଂ ଏହାର ଆଖପାଖ ଅଞ୍ଚଳରେ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜୁଛନ୍ତି । ଅନେକ ଲୋକ ଏବେ ମଧ୍ୟ ମାଟି ତଳେ ଫସିଥିବା ଆଶଙ୍କା ରହିଛି । ଭୂକମ୍ପରେ ପ୍ରାୟ ୧,୬୦୦ଟି କୋଠା କ୍ଷତିଗ୍ରସ୍ତ କିମ୍ବା ଭୁଶୁଡ଼ି ପଡ଼ିଥିବା ଖବର ମିଳିଛି । ଅନେକ ପରିବାର ନିଜ ଘରର ଭଗ୍ନାବଶେଷ ମଧ୍ୟରେ ନିଖୋଜ ପରିଜନଙ୍କୁ ଖୋଜୁଛନ୍ତି
ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୫ ଥିବାବେଳେ ଜର୍ମାନ ଜିଓସାଇନ୍ସ ସେଣ୍ଟର ଏହାକୁ ୬.୮ ବୋଲି ରେକର୍ଡ କରିଛି । ବେଜିଂ ସମୟ ରାତି ୮:୩୪ ମିନିଟ୍ରେ ଏହି ଭୂକମ୍ପ ଘଟିଥିଲା । ଏହାର କେନ୍ଦ୍ରସ୍ଥଳ ୪.୮୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୬.୧୫ ଡିଗ୍ରୀ ପଶ୍ଚିମ ଦ୍ରାଘିମାରେ ଥିଲା ।
ସେହିପରି GFZ ଅନୁଯାୟୀ ଏହାର ଗଭୀରତା ପ୍ରାୟ ୮୦ରୁ ୯୩.୭ କିମି ମଧ୍ୟରେ ଥିଲା । ଭୂକମ୍ପ ଝଟକା ଅନୁଭୂତ ହେବାମାତ୍ରେ ଲୋକମାନେ ଭୟଭୀତ ହୋଇ ଘର ଓ ବହୁତଳ କୋଠାଗୁଡ଼ିକରୁ ବାହାରକୁ ଚାଲିଆସିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କଲମ୍ବିଆର ରାଷ୍ଟ୍ରପତି ଆବେଲାର୍ଡୋ ଡେ ଲା ଏସ୍ପ୍ରିଏଲ୍ଏ ଜରୁରୀକାଳୀନ ପରିଚାଳନା ନିଜ ହାତକୁ ନେଇଛନ୍ତି । କ୍ଷୟକ୍ଷତି ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅଧୀନରେ ଏକ ‘ୟୁନିଫାଇଡ୍ କମାଣ୍ଡ ପୋଷ୍ଟ’ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ପିଲାଙ୍କ ପାଇଁ ତିଆରି ହେଉଛି ସୁରକ୍ଷିତ ସ୍ଥାନ
ଭୂକମ୍ପ ପରେ ରିଲିଫ୍ ଏଜେନ୍ସିଗୁଡ଼ିକ ବିଶେଷ କରି ପିଲାମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରଭାବିତ ଅଞ୍ଚଳରେ ପିଲାଙ୍କ ପାଇଁ ସୁରକ୍ଷିତ ସ୍ଥାନ ତିଆରି କରାଯାଉଛି। ଯେଉଁ ପିଲାମାନେ ନିଜ ବାପା-ମାଆଙ୍କୁ ହରାଇଛନ୍ତି କିମ୍ବା ସେମାନଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି, ସେମାନଙ୍କୁ ଏହି ସୁରକ୍ଷିତ ସ୍ଥାନରେ ରଖାଯିବ ।
