ଭୁବନେଶ୍ୱର : ଓଡ଼ିଶାକୁ ଅଧିକ ନିବେଶକ ଭିଡ଼ିବାକୁ ଫୁଲଦମରେ କସରତ କରୁଛନ୍ତି ରାଜ୍ୟ ସରକାର । ଦେଶ ପରେ ଏବେ ବିଦେଶରୁ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବାକୁ ହେବ ରୋଡ୍ ସୋ । ଏଥିପାଇଁ ଶନିବାର ସକାଳୁ ସିଙ୍ଗାପୁର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ ବରିଷ୍ଠ ପ୍ରତିନିଧି ଦଳ ମଧ୍ୟ ସାଙ୍ଗରେ ଯାଇଛି। ସିଙ୍ଗାପୁରରେ ଶିଳ୍ପ ବିଭାଗ ରୋଡ ସୋ’ର ଆୟୋଜନ କରାଯିବ।
ସିଙ୍ଗାପୁର ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ବିଶ୍ୱର ନିବେଶକଙ୍କ ପ୍ରଥମ ପସନ୍ଦ ହେବ ଆମ ରାଜ୍ୟ । ସିଙ୍ଗାପୁରରେ ଆମର ସ୍ପଷ୍ଟ ବାର୍ତ୍ତା ରହିବ, ଓଡିଶା ନିବେଶ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଓଡିଶାରେ ପୁଞ୍ଜି ନିବେଶ ଓ ନିଯୁକ୍ତି ସୁଯୋଗ ବଢାଇବା ପାଇଁ ଆମେ ଚେଷ୍ଟା କରିବୁ । ସିଙ୍ଗାପୁରର କେମିକାଲ, ଗ୍ରୀନ୍ ଏନର୍ଜି, ବସ୍ତ୍ର ନିର୍ମାଣ, ଜାହାଜ ନିର୍ମାଣ, ଲଜିଷ୍ଟିକ୍, ଇଲେକ୍ଟ୍ରୋନିକ୍ ଆର୍ଥିକ ସେବା ଆଦି ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି । ଆମେ ସେହି କମ୍ପାନୀ ଗୁଡିକର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିବୁ ।