ଆଜି ମିଳିବ ସିଏମ୍ କିଷାନ ଟଙ୍କା । ୪୧ ଲକ୍ଷ ୬୮ ହଜାର ୫୮୨ ଚାଷୀ ହେବେ ଉପକୃତ । ଦୁଇ ହଜାର ଟଙ୍କା ଲେଖାଏଁ ଚାଷୀଙ୍କ ଆକାଉଣ୍ଟକୁ ସିଧା ଯିବ ଟଙ୍କା । ପ୍ରତିବର୍ଷ ଦୁଇଟି କିସ୍ତିରେ CM କିଷାନ ସହାୟତା ରାଶି ଦିଆଯାଉଥିବା ବେଳେ ପ୍ରଥମ କିସ୍ତିରେ ଏହା ଖରିପ ଫସଲ ପାଇଁ ସହାୟତା ରାଶି ଭାବେ ଟଙ୍କା ପାଇବେ ଚାଷୀ।
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ହୋଇଛି । ଏହି ଦିନ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ଯୋଗ୍ୟ ଚାଷୀଙ୍କୁ ସିଏମ୍ – କିସାନ ସହାୟତା ରାଶି ପ୍ରଦାନ କରାଯିବ । କଟକର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପ୍ରଦାନ କରାଯିବ।
ଏହି ଅବସରରେ ରାଜ୍ୟର ୪୧ ଲକ୍ଷ ୬୮ ହଜାର ୫୮୨ ଜଣ ଚାଷୀଙ୍କୁ ଖରିଫ ସହାୟତା ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା,ନବରଂଗପୁରରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣ ଚନ୍ଦ୍ର ପାତ୍ର,ଖୋର୍ଦ୍ଦାରେ ପୃଥ୍ବୀରାଜ ହରିଚନ୍ଦନ,ବାଲେଶ୍ବରରେ ମୁକେଶ ମହାଲିଙ୍ଗ,ଗଞ୍ଜାମରେ ବିଭୁତି ଭୁଷଣ ଜେନା, ମୟୁରଭଞ୍ଜରେ କୃଷ୍ଣ ଚନ୍ଦ୍ର ମହାପାତ୍ର, କେଉଁଝରରେ ଗଣେଶରାମସିଂ ଖୁଣ୍ଟିଆ, ଭଦ୍ରକରେ ପ୍ରଦୀପ ବଳ ସାମନ୍ତ ଓ ନୟାଗଡ଼ରେ ଗୋକୁଳାନନ୍ଦ ମଲ୍ଳିକ ଯୋଗଦେବେ।
ସେପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ, କେନ୍ଦ୍ର ସରକାର ତିନୋଟି କିସ୍ତିରେ ଚାଷୀମାନଙ୍କୁ ୬,୦୦୦ ବାର୍ଷିକ ଆର୍ଥିକ ସହାୟତା ପ୍ରଦାନ କରନ୍ତି । ଏହି ଯୋଜନା ଅଧୀନରେ, ଯୋଗ୍ୟ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ । ଯେଉଁ ଚାଷୀମାନଙ୍କର ନାମ ଏପର୍ଯ୍ୟନ୍ତ ହିତାଧିକାରୀ ତାଲିକାରେ ନାହିଁ, ସେମାନେ ଆବେଦନ କରିପାରିବେ । ଆବେଦନ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟରେ କରାଯାଇପାରିବ । ଯେଉଁମାନେ ଅନଲାଇନରେ ଅବେଦନ କରିବାକୁ ଚାହୁଁଛନ୍ତି ସେମାନେ ସର୍ବପ୍ରଥମେ ସରକାରୀ ୱେବସାଇଟ୍ pmkisan.gov.inକୁ ଯାଇ ନୂତନ ଚାଷୀ ପଞ୍ଜୀକରଣ ଉପରେ କ୍ଲିକ୍ କରିବେ ଓ ଅନୁରୋଧିତ ସୂଚନାକୁ ସଠିକ୍ ଭାବରେ ପୂରଣ କରିବେ।
ଫର୍ମ ଦାଖଲ ହେବା ପରେ, ଏହା ଯାଞ୍ଚ ପାଇଁ ରାଜ୍ୟ ନୋଡାଲ ଅଧିକାରୀଙ୍କ ନିକଟକୁ ଯାଏ । ଚାଷୀମାନେ ଚାହିଁଲେ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ ମଧ୍ୟ କରିପାରିବେ ।
ଯେଉଁମାନେ ଅଫଲାଇନରେ ଅବେଦନ କରିବାକୁ ଚାହୁଁଛନ୍ତି ସେମାନେ ନିକଟସ୍ଥ CSC କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ ଓ ଜିଲ୍ଲା ସ୍ତରରେ ଅଭିଯୋଗ ସମାଧାନ କମିଟି ସହିତ ମଧ୍ୟ ଯୋଗାଯୋଗ କରିପାରିବେ । ଏଥିପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ହେଲା ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଏବଂ ପାସବୁକ୍,ମୋବାଇଲ୍ ନମ୍ବର , IFSC/MICR କୋଡ୍ , ଜନ୍ମ ତାରିଖ ଏବଂ ପରିବାରର ସୂଚନା ।

