ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତ କରିବା ସହିତ ୨୭୪ କୋଟିରୁ ଅଧିକ ଟଙ୍କାର ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭଦ୍ରକ ବ୍ଲକ ରମ୍ଭିଳା ପଞ୍ଚାୟତ ସ୍ଥିତ ରାଣୀତାଲ ଖେଳ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଶିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବାସୁଦେବପୁର ବିଧାୟକ ଅଶୋକ ଦାସ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ଭଦ୍ରକର ନୂତନ ଜିଲ୍ଲା ଚିକିତ୍ସାଳୟ, ଭଣ୍ଡାରିପୋଖରୀ, ଆରଡ଼ି ଏବଂ ବାସୁଦେବପୁର ବସଷ୍ଟାଣ୍ଡ, ଧାମନଗର, ବାସୁଦେବପୁର ଏବଂ ଚାନ୍ଦବାଲି ଠାରେ ୩ଟି ମଲ୍ଟି ଇଣ୍ଡୋର ଷ୍ଟାଡିୟମ ଏବଂ ଚାନ୍ଦବାଲି ବ୍ଲକର ୩ଟି ପୂର୍ତ୍ତ ରାସ୍ତା ଆଡ଼ି ପରି ୧୩ଟି ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଛି । ଗସ୍ତ ଅବସରରରେ ଭଦ୍ରକରେ ମେଡିକାଲ କଲେଜ ସହିତ ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।