ସଂଚାର ବ୍ୟୁରୋ: ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି ୩୦ ହଜାର ଲୋକ। ଏରିୟଲ ସର୍ଭେ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏବେ ସୁଦ୍ଧା ବାତ୍ୟା ପ୍ରଭାବିତ ୫୦ ହଜାର ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇପାରିନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ପାରାଦୀପ, ମହାକାଳପଡ଼ା, ରାଜନଗର, ରାଜକନିକା ସମେତ ଚାନ୍ଦବାଲି ସମୁଦ୍ର ତଟବର୍ତ୍ତୀ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବାତ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ। ପରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ।
ଏରିୟଲ ସର୍ଭେ ଓ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀରେ ୩୦ ହଜାର ଲୋକ ଅଛନ୍ତି।
୪୭୦ଟି ଆଶ୍ରୟସ୍ଥଳୀରେ ୩୦ ହଜାର ଲୋକ ଅଛନ୍ତି। ବାତ୍ୟା ସମୟରେ ୬ ହଜାର ୨୧୦ ଆଶ୍ରୟସ୍ଥଳୀରେ ୮ ଲକ୍ଷରୁ ଅଧିକ ଲୋକ ଥିଲେ। ପାଣି ଛାଡ଼ିବା ପରେ ପ୍ରାୟ ସମସ୍ତେ ନିଜ ଘରକୁ ଫେରିଛନ୍ତି। କିଛି ଗାଁରେ ପାଣି ଛାଡ଼ିନଥିବାରୁ ୩୦ ହଜାର ଲୋକ ଆଶ୍ରୟସ୍ଥଳୀରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।