ସଂଚାର ବ୍ୟୁରୋ: ଦୀର୍ଘ ୫୦ ଘଣ୍ଟା ପରେ ମାଆ କୋଳକୁ ଫେରିଲା ଅପହୃତ ଶିଶୁ । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ନିକଟ ବୋଇତା ଗାଁରୁ ଶିଶୁଟି ଉଦ୍ଧାର ହୋଇଛି । ସେହି ଗାଁର ଝିଲି ପଣ୍ଡାଙ୍କ ଘରୁ ଶିଶୁଟିକୁ ଉଦ୍ଧାର କରିଛି ପୋଲିସ । ଝିଲିଙ୍କ ସ୍ବାମୀଙ୍କର ସଂପର୍କୀୟ ଯାଜପୁର ଅଞ୍ଚଳର ଜଣେ ବ୍ୟକ୍ତି ଶିଶୁକୁ ଅପହରଣ କରି ଝିଲିଙ୍କୁ ଦେଇଥିବା ସୂଚନା ମିଳିଛି । ଶିଶୁକୁ ଉଦ୍ଧାର ପରେ ଭୁବନେଶ୍ବର ଆଣିଛି କମିଶନରେଟ ପୋଲିସ । କୁନି ପୁଅକୁ କୋଳରେ ପାଇବା ପରେ ଖୁସିରେ ଆତ୍ମହରା ହୋଇଛି ମା’ ।
ସେପଟେ ଶିଶୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ପୋଲିସ । ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ପୁରୀରୁ ମୁଖ୍ୟ ଅଭିଯୁକ୍ତ କେଦାର ସେନ ପଣ୍ଡାକୁ ଗିରଫ କରାଯାଇଛି। ତେବେ ଅଙ୍ଗତସ୍କରୀ ନେଇ କୌଣସି ପ୍ରମାଣ ମିଳିନଥିବା କହିଛନ୍ତି ପୋଲିସ କମିଶନର । ଏ ନେଇ ତଦନ୍ତ ଜାରି ରହିଛି । ଖାରବେଳନଗର ଥାନା ରାମମନ୍ଦିର ସମ୍ମୁଖରେ ଅପହରଣ ହୋଇଥିଲା । ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁକୁ ଉଠାଇନେଥିଲା ଅପହର୍ତ୍ତା । ଘଟଣାର ସିସିଟିଭି ଚିତ୍ର ଆଜି ସାମ୍ନାକୁ ଆସିଥିଲା ।
ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୩ଟା ବେଳେ ଅପହରଣ କରିଥିଲା ଦୁର୍ବୃତ୍ତ । ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା । ପରେ ଏକାଧିକ ଟିମ୍ ତଦନ୍ତ କରି ଶିଶୁକୁ ଉଦ୍ଧାର କରିଛନ୍ତି । ରାଜ୍ୟ ବାହାରକୁ ଚାଲାଣ ଯୋଜନା ନେଇ ଖବର ଥିଲା । ଏନେଇ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଅପହୃତ ଶିଶୁର ମାଆ । ପିଲା ଚୋରକୁ କଠୋର ଦଣ୍ଡ ଦିଆଯାଉ କହିଲେ ମାଆ ।

