ଆସନ୍ତା ୨୦ ତାରିଖରୁ ଚନ୍ଦନଯାତ୍ରା ଆରମ୍ଭ । ଅକ୍ଷୟ ତୃତୀୟାଠାରୁ ଶ୍ରୀମନ୍ଦିରରେ ହେଉଥିବା ଏହି ପ୍ରଧାନ ପର୍ବକୁ ଶୃଙ୍ଖଳିତ ପାଳନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି । ମଙ୍ଗଳବାର ଏନେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ହେବାକୁ ସ୍ଥିର ହୋଇଛି । ବୈଠକରେ ଚନ୍ଦନଯାତ୍ରା (୨୦୨୬) ନୀତି ନିର୍ଘଣ୍ଟ ଅନୁମୋଦନ ଓ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେବ ।
ଆସନ୍ତା ୨୦ ତାରିଖ ଦିନ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିସହ ବାହାର ଚନ୍ଦନ ଯାତ୍ରା (୨୧ ଦିନ) ହେବ । ଏହି ଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ବହୁ ଭିଡ଼ ସମାଗମ ହେବ । ତେଣୁ ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳାରକ୍ଷା, ଠାକୁରଙ୍କ ସୁରକ୍ଷିତ ଯାତ୍ରା ସାଙ୍ଗକୁ ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳା ଆଣିବାକୁ ବୈଠକରେ ଆଲୋଚନା ହେବ । ସେପଟେ ୮ ତାରିଖ ବୁଧବାର ବାହାର ରତ୍ନଭଣ୍ଡାର ଗଣତିମଣତି ହେବାକୁ ଥିବାରୁ ଛତିଶା ନିଯୋଗ ବୈଠକରେ ଏହାର ସୁପରିଚାଳନା ଜନିତ ନୀତି ଶୃଙ୍ଖଳା ଉପରେ ଆଲୋଚନା ହୋଇପାରେ।
ଏଥିସହ ୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ। ମାର୍ଚ୍ଚ ୨୫ ତାରିଖରେ ଶ୍ରୀମନ୍ଦିରରେ ଥିବା ମହାପ୍ରଭୁଙ୍କ ଚଳନ୍ତି ଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ତିନିଦିନ ଧରି ଅର୍ଥାତ୍ ବୁଧବାର, ଗୁରୁବାର ଓ ଶୁକ୍ରବାର ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

