ସଂଚାର ବ୍ୟୁରୋ: ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ମାଲବାହୀ ଟ୍ରେନ୍ ସହିତ ଧକ୍କା ଖାଇଲା MEMU ଯାତ୍ରୀବାହୀ ଟ୍ରେନର ଏକ କୋଚ୍। ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୪ଟା ସମୟରେ ବିଳାସପୁର ଷ୍ଟେସନ ନିକଟରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୨ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି।
ମାଲବାହୀ ଟ୍ରେନକୁ ଧକ୍କା ଦେଲା କୋରବା ପାସେଞ୍ଜର ଟ୍ରେନ। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ସେପଟେ ପରିସ୍ଥିତି ଉପରେ ନଜର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ଅନୁଯାୟୀ, ଦୁର୍ଘଟଣା ପରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି।
