ସଂଚାର ବ୍ୟୁରୋ: ସରକାରୀ ବିଦ୍ଯାଳୟକୁ ଯିବାକୁ ପକ୍କା ରାସ୍ତା ନଥିବାରୁ ହନ୍ତସନ୍ତ ପିଲା । ବର୍ଷା ହେଲେ ବିଦ୍ଯାଳୟକୁ ଆସୁନାହାଁନ୍ତି ପିଲା । ବିଦ୍ଯାଳୟରେ ପଡୁଛି ତାଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକ ଚଡ଼ଦିଆ ପଞ୍ଚାୟତ ହରିଶପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ଯାଳୟରେ ୧୩୦ରୁ ଅଧିକ ପିଲା ପାଠ ପଢୁଛନ୍ତି । ହେଲେ ବିଦ୍ଯାଳୟକୁ ଯିବା ଆସିବା ନିମନ୍ତେ ରାସ୍ତା ନଥିବାରୁ ପିଲା ବିଦ୍ଯାଳୟକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ବିଶେଷ କରି ବର୍ଷା ହେଲେ ମାଟି କାଦୁଅ ରାସ୍ତାରେ ପଡି ଖଣ୍ଡିଆଖାବରା ହେଉ ଥିବାରୁ ଅଭିଭାବକ ମାନେ ପିଲାମାନଙ୍କୁ ବିଦ୍ଯାଳୟକୁ ଛାଡିବାକୁ ଅମଙ୍ଗ ହେଉଛନ୍ତି । ପକ୍କା ସଡ଼କ ଠାରୁ ବିଦ୍ୟାଳୟଟି ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ । ଏହି ରାସ୍ତା ପ୍ରତି ପ୍ରଶାସନିକ ଆନ୍ତରିକତା ନ ଥିବାରୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ତେବେ ପକ୍କା ରାସ୍ତା ନିର୍ମାଣ କରିବା ନିମନ୍ତେ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ।