ମାସ ମାସ ଧରି ମଣ୍ଡିରୁ ଉଠୁନି ଧାନ । ଧାନ ରଖିବାକୁ ମଣ୍ଡିରେ ନାହିଁ ଜାଗା । ଯେତେ ଗୁହାରି କଲେ ବି ଶୁଣୁନି ପ୍ରଶାସନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ ଆରମ୍ଭ କରିଛନ୍ତି ଚାଷୀ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ବ୍ଳକର ଚାରିତରଫ ସେବା ସମବାୟ ସମିତିରେ । ଉକ୍ତ ସମବାୟ ସମିତିରେ ପ୍ରାୟ ୯ ହଜାରରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ପଡି ରହିଥିବା ବେଳେ ଆହୁରି ୪ ହଜାର କୁଇଣ୍ଟାଲ ଧାନ ବିକ୍ରି ଅପେକ୍ଷାରେ ଅଛନ୍ତି ଚାଷୀ । ମାତ୍ର ମିଲରଙ୍କ ମାନମାନି ଯୋଗୁଁ ମଣ୍ଡିରୁ ଉଠିପାରୁନି ଧାନ ।
ଦୀର୍ଘ ଦିନ ହେବ ମଣ୍ଡିରୁ ଧାନ ନ ଉଠିବାରୁ ଧାନ ଟଙ୍କା ବି ପାଇ ପାରୁନାହାନ୍ତି ଚାଷୀ । ସମସ୍ୟା ସଂପର୍କରେ ଚାଷୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ ବି ଫଳ ଶୂନ । ଶେଷରେ ରାସ୍ତା ଉପରେ ଧାନ ବସ୍ତା ରଖି ବସି ରହିଛନ୍ତି ଶହ ଶହ ଚାଷୀ । ଯେ ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିବାର ବ୍ୟବସ୍ଥା ପ୍ରଶାସନ ନ କରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।
