ସଂଚାର ବ୍ୟୁରୋ: ୬ରୁ ଅଧିକ ଘଣ୍ଟାର ସର୍ଚ୍ଚ ଅପରେସନ୍ । ବିରୂପା ନଦୀରେ ଖସି ପଡ଼଼ିଥିବା କାର୍ ଉଦ୍ଧାର ହେଲା । ହେଲେ ମିଳୁନି ଗାଡ଼ିରେ ଥିବା ଉଦିତ୍ଙ୍କ ପତ୍ତା । ଯାହାକୁ ନେଇ ଆଶଙ୍କା ଆହୁରି ବଢ଼ିଥିବା ବେଳେ ବିଳମ୍ବିତ ରାତିରେ ବନ୍ଦ ହୋଇଥିବା ସର୍ଚ୍ଚ ଅପରେସନ୍ ସକାଳୁ ପୁଣି ଥରେ ଆରମ୍ଭ ହୋଇଛି ।
ଅଗ୍ନିଶମ ବାହିନୀ ସହ ଓଡ୍ରାଫ୍ ଟିମ୍ ବୁଧବାର ସନ୍ଧ୍ୟାରେ ୬ ଘଣ୍ଟାରୁ ଅଧିକ ସମୟ ଧରି ସର୍ଚ୍ଚ ଅପରେସନ୍ କରିଥିଲେ । ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲା ବିରୂପା ନଦୀକୁ ଖସି ପଡ଼ିଥିବା ଧଳାରଙ୍ଗର କାର୍ଟି ।
ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ କର୍ମଚାରୀ କହିଛନ୍ତି, “ନଦୀ ଭିତରୁ କାର୍ଟିକୁ ଉଦ୍ଧାର କରାଯାଇଛି । କାର୍ ଉଦ୍ଧାର ବେଳେ ଗାଡ଼ିର ସମସ୍ତ ଡୋର୍ ଲକ୍ ରହିଥିଲା । ତେଣୁ ଗାଡ଼ି ଭିତରେ କେହି ଥିବା ଅନୁମାନ କରାଯାଉନାହିଁ ।”
ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ବିରୂପାକୁ କାର୍ଟି ଖସି ପଡ଼ିବା ବେଳେ ସେଥିରେ ୨ ଜଣ ଥିଲେ । ଜଣଙ୍କୁ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଉଦିତ୍ ରହି ଯାଇଥିଲେ କାର୍ ଭିତରେ । ଏବେ ଉଦ୍ଧାର ହୋଇଥିବା କାର୍ରୁ ଉଦିତଙ୍କ ମୋବାଇଲ୍ ମିଳିଥିବା ବେଳେ ତାଙ୍କର କୌଣସି ସନ୍ଧାନ ମିଳିନାହିଁ ।
ପୋଲିସ ଅଧିକାରୀ କହିଛନ୍ତି, “ଉଦ୍ଧାର କାର୍ର ୪ଟି ଯାକ ଡୋର୍ ସହ ସନ ରୁଫ୍ ବନ୍ଦ ରହିଥିଲା । ଡ୍ରାଇଭରଙ୍କ ପାର୍ଶ୍ଵ ଝରକା ଯେତିକି ଖୋଲା ଥିଲା, ସେଥିରେ ବାହାରକୁ ଆସିବା ସମ୍ଭବ ନୁହେଁ । ଝରକା ବାଟ ଦେଇ ଗାଡ଼ିରେ ପାଣି ପଶିଛି । ଉଦ୍ଧାର ଯୁବକଙ୍କ ସହ ଆଲୋଚନା ପରେ ଅନ୍ୟ ଜଣଙ୍କ ବାବଦରେ ସୂଚନା ମିଳି ପାରିବ ।”
ବିରୂପା ନଦୀକୁ ଖସି ପଡ଼ିଥିବା କାର୍ ୨୫ ଫୁଟ୍ ତଳୁ ଠାବ ହୋଇଛି । କାର୍କୁ ଉଦ୍ଧାରକାରୀ ଦଳ ବାହାରକୁ ଆଣିଛନ୍ତି । ରାତି ୧୨ଟା ପର୍ଯ୍ୟନ୍ତ ନିଖୋଜ ଯୁବକ ଉଦିତଙ୍କୁ ଖୋଜାଖୋଜି କରିଥିଲେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ । ନିଖୋଜ ଯୁବକ ଭୁବନେଶ୍ୱର ଲିଙ୍ଗିପୁର ବାସିନ୍ଦା ଉଦିତ ସାହୁ ବୋଲି ସୂଚନା ରହିଛି ।

