ଭୁବନେଶ୍ଵର: ୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର। ଅନ୍ତୋଦୟ ଯୋଜନାରେ ଗରିବଙ୍କୁ ମିଳିବ ପକ୍କା ଘର। ୩୧୪ ବ୍ଲକରେ ନିର୍ମାଣ ହେବ ଷ୍ଟାଡିୟମ୍। ରାଜ୍ୟରେ ଲାଗୁ ହେବ ଏକିକୃତ ପେନସନ୍ ଯୋଜନା। ରାଜ୍ୟରେ ଥିବା ଡ୍ୟାମ୍ ଗୁଡ଼ିକର ହେବ ଉନ୍ନତିକରଣ। ଚାନ୍ଦବାଲିକୁ ନିର୍ମାଣ ହେବ ୩ଟି ବ୍ରିଜ୍।
ଅନ୍ତୋଦୟ ଯୋଜନାରେ ମିଳିବ ପକ୍କା ଘର
ଅନ୍ତୋଦୟ ଗୃହ ଯୋଜନାରେ ଲୋକଙ୍କୁ ମିଳିବ ପକ୍କା ଘର। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଏହି ଯୋଜନାରେ ଘର ମିଳିବ। ଏଥିପାଇଁ ରାଜ୍ୟ ସରକାର ୧ ଲକ୍ଷ ୨୦ ହଜାର ଟଙ୍କାର ମିଳିବ ଆର୍ଥିକ ସହାୟତା ଯୋଗାଇ ଦେବେ। ଆସନ୍ତା ୩ ବର୍ଷ ମଧ୍ୟରେ ୨ ଲକ୍ଷ ୨୫ ହଜାର ଘର ପ୍ରଦାନ କରାଯିବ। ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଏବଂ ବିସ୍ଥାପିତ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ସାମିଲ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ପରି ଏହି ଯୋଜନାରେ ବୋନସ୍ ବ୍ୟବସ୍ଥା ଅଛି। ୪ ମାସ ଭିତରେ ଘର କାମ ସାରିଲେ ୨୦ ହଜାର ଏବଂ ୬ ମାସରେ ସାରିଲେ ୧୦ ହଜାର ବୋନସ ମିଳିବ। ଏହି ଯୋଜନାରେ ସରକାର ୭୫୫୦ କୋଟି ଖର୍ଚ୍ଚ କରିବେ।
ନିର୍ମାଣ ହେବ ୩୧୪ ଷ୍ଟାଡିୟମ୍
ସେହିପରି କ୍ରୀଡା ଭିତ୍ତିଭୂମି ପାଇଁ ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ। ଏଥିପାଇଁ ସରକାର ନୂଆ ଯୋଜନା କରିଛନ୍ତି। ୧୨ ରୁ ୧୫ ଏକର ଜମିରେ ଷ୍ଟାଡିୟମ୍ ନିର୍ମାଣ ହେବ। ଫୁଟବଲ, କ୍ରିକେଟ, ଆଥଲେଟ, ଅନ୍ୟାନ୍ୟ ଖେଳ ପାଇଁ ସୁବିଧା ରହିବ। ଆସନ୍ତା ୫ ବର୍ଷରେ ୪୧୨୪ କୋଟି ବ୍ୟୟରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଛି।
ରାଜ୍ୟରେ ଲାଗୁ ହେବ ଏକିକୃତ ପେନସନ୍ ଯୋଜନା
ରାଜ୍ୟରେ ଏକିକୃତ ପେନସନ ଯୋଜନା ଲାଗୁ ନେଇ କ୍ୟାବିନେଟ ନିଷ୍ପତି ହୋଇଛି। NPSରେ ଥିବା ଅଧିକାରୀମାନେ ଏହି ବ୍ୟବସ୍ଥାରେ ପେନସନ ପାଇବେ। ୩ ଲକ୍ଷ ୩୩ ହଜାର ଅଧିକାରୀମାନେ NPS କି UPSରେ ରହିବେ ସ୍ଥିର କରିବେ।
ଡ୍ୟାମ୍ ଗୁଡ଼ିକର ହେବ ଉନ୍ନତିକରଣ
ରାଜ୍ୟରେ ଡ୍ୟାମ୍ ଗୁଡିକର ପୁନଃବ୍ୟାସ ଏବଂ ଉନ୍ନତିକରଣ ପାଇଁ ୧୦୬୬ କୋଟି ଖର୍ଚ୍ଚ କରିବେ। ହୀରାକୁଦ ଡ୍ୟାମ୍ ମରାମତି ଏବଂ ଉନ୍ନତିକରଣ ପାଇଁ ୩ଟି ପ୍ରକଳ୍ପ କାର୍ଯ୍ୟ ହେବ। ଆସନ୍ତା ୬ ବର୍ଷରେ ଏହି କାମକୁ ସମ୍ପୂର୍ଣ୍ଣ କରାଯିବ।
ଚାନ୍ଦବାଲିକୁ ନିର୍ମାଣ ହେବ ୩ଟି ବ୍ରିଜ୍
ଚାନ୍ଦବାଲିବାସୀଙ୍କ ପାଇଁ ଖୁସି ଖବର। ଚାନ୍ଦବାଲିକୁ ନିର୍ମାଣ ହେବ ୩ଟି ବ୍ରିଜ୍। ଭଦ୍ରକ ଚାନ୍ଦବାଲି ରାସ୍ତାରେ ବୈତରଣୀ ନଦୀରେ ନିର୍ମାଣ ହେବ ଦ୍ଵିତୀୟ ବ୍ରିଜ୍। କଟକ ଚାନ୍ଦବାଲି ରାସ୍ତାର ପାତ୍ରପୁର ଠାରେ ବ୍ରାହ୍ମଣୀ ନଦୀ ଉପରେ ତିଆରି ହେବ ଦ୍ଵିତୀୟ ବ୍ରିଜ୍। ଖରସ୍ରୋତା ନଦୀ ଉପରେ ଭରିଗଡା ଠାରେ ମଧ୍ୟ ନିର୍ମାଣ ହେବ ବ୍ରିଜ୍। ଏନେଇ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି। ଏହି ୩ଟି ବ୍ରିଜ ବାବଦକୁ ସରକାର ୬୫୫ କୋଟି ଖର୍ଚ୍ଚ କରିବେ। ସେହିପରି ବରଗଡ଼ରେ ପୂଜାରୀପଲି ଏବଂ ଜାରିମୁଳି ମଧ୍ୟରେ ମହାନଦୀରେ ବ୍ରିଜ ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ୩ ରୁ ୪ ବର୍ଷରେ ଏହି କାମ ସାରିବାକୁ ଲକ୍ଷ୍ୟ ରଖିଛି ପୂର୍ତ୍ତ ବିଭାଗ।