ଭୁବନେଶ୍ୱର : ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣାରେ ଓଡିଆ ନିଖୋଜ । ତିସ୍ତା ନଦୀକୁ ଖସି ପଡ଼ିଥିଲା ପର୍ଯ୍ୟଟକଙ୍କ ଟୁରିଷ୍ଟ ଗାଡ଼ି। ହଜାରେ ଫୁଟ ତଳକୁ ଗାଡ଼ି ଖସି ପଡିବାରୁ ଜଣକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସେହିପରି ଏବେ ବି ନିଖୋଜ ଅଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ଇତିଶ୍ରୀ ନାୟକ ଓ ତାଙ୍କ ବଡପୁଅ ସୋହେଲ । ସେହିପରି ଇତିଶ୍ରୀଙ୍କ ସାନ ଭାଇ ଲାଟୁ ଓରଫ୍ ଅଜିତ୍ ନାୟକ ଓ ଭାଉଜ ସୁନିତାଙ୍କ ପତ୍ତା ମିଳୁନାହିଁ । ୪ ଜଣ ଓଡ଼ିଆ ନିଖୋଜ ଥିବା ବେଳେ ଇତିଶ୍ରୀଙ୍କ ସାନପୁଅ ଓ ପୁତୁରାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସିକ୍କିମରେ ଓଡିଆ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଗାଡ଼ିରେ ଡ୍ରାଇଭରଙ୍କୁ ମିଶାଇ ୧୧ ଜଣ ଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ସିକ୍କିମରେ ପହଞ୍ଚିଛନ୍ତି ଗସ୍ତ କରିଥିବା ୨ ବରିଷ୍ଠ ଅଧିକାରୀଙ୍କ ଟିମ୍ । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ୨ ଓଡ଼ିଆ ନାବାଳକ ଏବେ ଗ୍ୟାଙ୍ଗଟକ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ, ସେଠାରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି ଓଡ଼ିଶାରୁ ଯାଇଥିବା ଏହି ଟିମ୍ । ସେପଟେ ଯାଜପୁରରେ ଇତିଶ୍ରୀ ନାୟକଙ୍କ ପରିବାର ଚିନ୍ତାଗ୍ରସ୍ତ ଅଛନ୍ତି ।

