ସଂଚାର ବ୍ୟୁରୋ: ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଜାତୀୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲେ ବିଜେଡି ଟିମ । ବିଜେଡି ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ ନିଳଗିରି ବିଧାୟକ । ଏନେଇ ନିଜେ ଲେଖାଶ୍ରୀ ମହିଳା ଥାନାରେ ଏଫଆଇଆର ଦେଇଛନ୍ତି । ବିଭିନ୍ନ ମହିଳା ସଂଗଠନମାନେ ମଧ୍ୟ ନିଳଗିରି ବିଧାୟକଙ୍କ ନାଁରେ ଏଫଆଇଆର ଦେଇଛନ୍ତି । କିନ୍ତୁ ପୋଲିସ କି ସରକାର ଏଯାଏଁ ସନ୍ତୋଷ ଖଟୁଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ଯାହାକୁ ନେଇ ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, ନିରଂଜନ ବିଶି, ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ ଓ ଲେଖାଶ୍ରୀ ସାମନ୍ତସିଂହାର ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକରଙ୍କୁ ଭେଟି ଏହି ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଉଦବେଗ ପ୍ରକାଶ କରିବା ସହ କମିଶନଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
କମିଶନ ନିଜ ତରଫରୁ ଏହି ଘଟଣାରେ ତଦନ୍ତ କରିବାକୁ ବିଜେଡି ଦାବି କରିଛି । ଲେଖାଶ୍ରୀଙ୍କ ଅଭିଯୋଗ ଆଧାରରେ ସନ୍ତୋଷ ଖଟୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ସହ ଲେଖାଶ୍ରୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରିଛି ବିଜେଡି । ହାତୀ ଦାନ୍ତ ଚୋରା ଚାଲାଣରେ ନିଳଗିରି ବିଜେପି ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗରେ ବିଜେଡି ପକ୍ଷରୁ ଗତ ଜୁଲାଇ ୨ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ନିଳଗିରି ବିଧାୟକ କିନ୍ତୁ ଲେଖାଶ୍ରୀଙ୍କ ବିରୋଧରେ ଅଶାଳୀନ ଟ୍ଟିପଣୀ ଦେବା ସହ ତାଙ୍କ ଚରିତ୍ର ସଂହାର କରିଥିଲେ । ଏନେଇ ବିଜେଡି ରାଷ୍ଟ୍ରପତିଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି ।