ସଂଚାର ବ୍ୟୁରୋ: ସୁଭଦ୍ରା ସହାୟତା ନଦେବାକୁ ଫିଡବ୍ଯାକ ବାହାନା କରୁଛି ବିଜେପି ସରକାର । ଏଭଳି ଅଭିଯୋଗ ଆଣି ସରକାରକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ୨୦୨୪ ନିର୍ବାଚନ ସମୟରେ ବିଜେପିର କର୍ମୀମାନେ ସୁଭଦ୍ରା ଫର୍ମ ଧରିକି ବୁଲିଥିଲେ। ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ କହି ଫର୍ମ ପୂରଣ କରି ଭୋଟ ନିଜ ସପକ୍ଷରେ ନେଲେ । କିନ୍ତୁ ବଜେଟରେ ଏଥିପାଇଁ ମାତ୍ର ୧୦ ହଜାର କୋଟି ଟଙ୍କା ବ୍ଯୟବରାଦ କରିଛନ୍ତି । ଯେଉଁଥିରେ ମାତ୍ର ୨୦ ଲକ୍ଷ ମହିଳା ଉପକୃତ ହେବେ । ଏସଓପି କରିବା ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ଏବଂ ଜିଲ୍ଲାପାଳଙ୍କ ଫିଡବ୍ୟାକ ନେବାନେଇ ଉପମୁଖ୍ଯମନ୍ତ୍ରୀଙ୍କ ମନ୍ତବ୍ଯକୁ କଡ଼ା ନିନ୍ଦା କରି ପ୍ରମିଳା କହିଛନ୍ତି, କୌଣସି ଏସଓପି ନଥାଇ ମହିଳାମାନଙ୍କୁ ପ୍ରତାରିତ କରିବାର କାରଣ କଣ ? କୌଣସି ନୀତି ନିର୍ଦ୍ଧାରଣ ନ କରି ମହିଳାଙ୍କୁ ଇନକମ୍ ସାର୍ଟିଫିକେଟ ବାହାର କରିବାକୁ କୁହାଯାଇଥିଲା । ମହିଳାମାନେ ଜନସେବା କେନ୍ଦ୍ରରେ ଲମ୍ବା ଲାଇନ ଲଗାଇ ଖର୍ଚ୍ଚାନ୍ତ ହେଲେ । ଏବେ କିଛି ମହିଳାଙ୍କୁ ସହାୟତା ନଦେବାକୁ ଫିଡବ୍ୟାକ ବାହାନା କରାଯାଉଛି । ଫିଡବ୍ଯାକ ନାଁରେ ବିଜେପି ସରକାର ଚତୁରତା ଦେଖାଉଛି । ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ ବିଶ୍ଵକର୍ମା ଯୋଜନା କରିଥିଲା କେନ୍ଦ୍ର। ଏହି ଯୋଜନାରେ କେତେ ଜଣ ସହାୟତା ପାଇଛନ୍ତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି ? ନିର୍ବାଚନ ସମୟରେ ମହିଳାମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପାଳନ କରନ୍ତୁ । ନହେଲେ ଆଗାମୀ ଦିନରେ ମହିଳାମାନେ ବିଜେପିକୁ ଉଚିତ ଜବାବ ଦେବେ ବୋଲି ପ୍ରମିଳା କହିଛନ୍ତି ।