ଆଉ ଜଣେ ବିଜେଡି ନେତା ଗିରଫ । ଠକେଇ ଅଭିଯୋଗରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ପୋଲିସ ଗିରଫ କରିଛି । ଚାକିରି କରେଇ ଦେବା ନାଁରେ ୭ ଲକ୍ଷ ୬୦ ହଜାର ଟଙ୍କା ଲୁଟିଥିବା ନେଇ ରହିଛି ସାଂଘାତିକ ଅଭିଯୋଗ । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବାଇଗୁଣିଆ ଗାଁର ବିଜେଡି ନେତା ଆଲୋକ ପଟ୍ଟନାୟକ, ASO ଓ ଫାୟର ମ୍ୟାନରେ ଚାକିରି କରେଇଦେବାକୁ କହି ଟଙ୍କା ଲୁଟିଥିଲେ।
ରଣପୁର ବ୍ଲକ ଡମସାହି ପଂଚାୟତର ଭାଗିରଥି ପଳେଇଙ୍କ ଠାରୁ ଅନଲାଇନ ଓ ହ୍ୟାଣ୍ଡକ୍ୟାସ ଜରିଆରେ ୭ଲକ୍ଷ ୬୦ହଜାର ଟଙ୍କା ନେଇଥିଲେ । ପରବର୍ତ୍ତୀ ସମୟରେ ଚାକିରି ଦେବା ତ ଦୂରର କଥା ଟଙ୍କା ଫେରସ୍ତ ନକରିବାରୁ ଭାଗିରଥି ପଲେଇ ରଣପୁର ଥାନାରେ ଅଭିଯୋଗ କରିଥିଲେ। ପରେ ଭୁବନେଶ୍ୱରରୁ ବିଜେଡି ନେତା ଆଲୋକ ପ୍ରଧାନକୁ ଗିରଫ କରିଥିଲା ପୋଲିସ l
ନିଜକୁ ବିଜେଡିର ବଡ଼ବଡ଼ ନେତାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା କହି ଲୋକଙ୍କୁ ଚୂନ ଲଗଉଥିଲା ଆଲୋକ ପଟ୍ଟନାୟକ । ଆଲୋକକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଭଳି ଅନେକ ଲୋକଙ୍କ ଠାରୁ ଚାକିରି କରାଇଦେବା ପାଇଁ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି ।
ଏହା ପୂର୍ବରୁ ନିମାପଡ଼ାର ବିଜେଡି ନେତା ଦିଲ୍ଲୀପ ନାୟକ ମଧ୍ୟ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି । ୨୦୨୪ ନିର୍ବାଚନରେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଅପରାଧ ଶାଖା ବା ଇଓଡବ୍ଲୁ । ୧୨ କୋଟି ୪୨ ଲକ୍ଷ ଟଙ୍କାର ଠକେଇ ମାମଲାରେ ଦିଲ୍ଲୀପଙ୍କୁ ବାନ୍ଧିଛି ଇଓଡବ୍ଲୁ । କଟକ ରାଣୀହାଟର ବିଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ଗିରଫ କରାଯାଇଛି ।
ଭୁବନେଶ୍ବର ପାଣ୍ଡରାରେ ଏକ ଜମି ପାଇଁ ବିଜୟ ୭ କୋଟି ୪୨ ଲକ୍ଷ ଟଙ୍କା ଦିଲ୍ଲୀପଙ୍କୁ ଦେଇଥିଲେ । ଏହାପରେ ପୁଣିଥରେ ୨ କୋଟି ଟଙ୍କା ନେଇଥିଲେ ଦିଲ୍ଲୀପ । କିନ୍ତୁ ସମ୍ପୃକ୍ତ ଜମିକୁ ଦିଲ୍ଲୀପ ନିଜ ନାଁରେ କରିଥିଲେ । ବିଜୟ ରାଉତ ବାରମ୍ବାର ଟଙ୍କା ମାଗିବା ପରେ ଫେରାଇ ନଥିଲେ ଦିଲ୍ଲୀପ । ଏନେଇ ବିଜୟ ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ । ତାପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।
