ବିଞ୍ଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଜଣେ ଜ୍ୱାଇଁଙ୍କୁ ମାଡ଼ ମାରିବା ସହ ତାଙ୍କ ମୁଣ୍ଡରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ଗ୍ରାମରେ ବୁଲାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଆନନ୍ଦ ଦାସ କଳିଝଗଡ଼ା ପରେ ବାପ ଘରକୁ ଚାଲିଆସିଥିବା ନିଜ ସ୍ତ୍ରୀଙ୍କୁ ନେବା ପାଇଁ କଲ୍ୟାଣପୁରସ୍ଥିତ ଶ୍ୱଶୁର ଘରକୁ ଆସିଥିଲେ। ତେବେ କୌଣସି କାରଣକୁ ନେଇ ସ୍ତ୍ରୀଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ଶ୍ୱଶୁର ନିରଞ୍ଜନ ଦାସ (ହାବୁଡ଼ା) ଜ୍ୱାଇଁ ଆନନ୍ଦଙ୍କୁ ମାଡ଼ ମାରିବା ସହ ତାଙ୍କ ମୁଣ୍ଡରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ବିଚ୍ ରାସ୍ତାରେ ବୁଲାଇଥିଲେ। ଏହି ଲଜ୍ଜ୍ୟା ଜନକ ଘଟଣାଟି ବିଞ୍ଝାରପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପାରିବାରିକ ବିବାଦର ସମାଧାନ ପାଇଁ ଆଇନକୁ ହାତକୁ ନେବା ପରିବର୍ତ୍ତେ ଏଭଳି ଅପମାନଜନକ ଘଟଣା ଘଟିବା ନେଇ ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରିଛନ୍ତି।

