ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା। ଭୋଟର ତାଲିକା ପ୍ରକାଶ କରିପାରନ୍ତି ନିର୍ବାଚନ କମିଶନ। ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରକ୍ରିୟା ଶେଷ ପରେ ଭୋଟର ତାଲିକା ପ୍ରକାଶ ପାଇବ। ସେପଟେ ଆସନ୍ତା ଅକ୍ଟୋବର ୬ କିମ୍ବା ୭ରେ ବିହାର ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଥିବା ସୂଚନା ମିଳିଛି। ଗତ ଅଗଷ୍ଟ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ସେପ୍ଟେମ୍ବର ୧ ଯାଏ ତ୍ରୁଟିବିଚ୍ୟୁତି ସମ୍ପର୍କରେ ଅବଗତ କରାଇବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏସଆଇଆର୍ ପ୍ରକ୍ରିୟା ପୂର୍ବରୁ ବିହାରରେ ଭୋଟର ସଂଖ୍ୟା ଥିଲା ୭ କୋଟି ୮୯ ଲକ୍ଷ। ଚିଠା ଭୋଟର ତାଲିକାରେ ପ୍ରକାଶ ପାଇଥିଲା ୭ କୋଟି ୨୪ ଲକ୍ଷ। ଅର୍ଥାତ ପ୍ରାୟ ୬୫ ଲକ୍ଷ ୬୩ ହଜାର ଭୋଟର ବାଦ୍ ପଡିଥିଲେ। ଚିଠା ଭୋଟର ତାଲିକା ପ୍ରକାଶନ ପରେ ୩ ଲକ୍ଷ ଭୋଟରଙ୍କୁ ନୋଟିସ ଜାରି କରାଯାଇଥିଲା। ନିଜ ନାମକୁ ତାଲିକାରୁ ବାଦ୍ ଦେବାକୁ ଆବେଦନ କରିଥିଲେ ପ୍ରାୟ ୨ ଲକ୍ଷ ୧୭ ହଜାର ଭୋଟର। ତାଲିକାରେ ଅନ୍ତର୍ଭୁକ୍ତ ହେବା ଲାଗି ଆବେଦନ କରିଥିଲେ ୧୬ ଲକ୍ଷ ୫୬ ହଜାର ଭୋଟର। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖର ୧୦ ଦିନ ପୂର୍ବରୁ ନାମ ଅନ୍ତର୍ଭୁକ୍ତ ଲାଗି ଭୋଟର ଆବେଦନ କରିପାରିବେ। ବିହାର ଏସଆଇଆରକୁ କେନ୍ଦ୍ର କରି ଦେଶବ୍ୟାପୀ ଚାଲିଥିଲା ବିବାଦ। କେନ୍ଦ୍ର ସରକାର ଓ ଇସିଆଇଙ୍କୁ ଟାର୍ଗେଟ କରିଆସୁଥିଲେ କଂଗ୍ରେସ, ଆରଜେଡି ଓ ବହୁ ଦଳ। ଆସନ୍ତା ଅକ୍ଟୋବର ୪ ଓ ୫ରେ ବିହାର ଗସ୍ତ କରିବେ ନିର୍ବାଚନ କମିଶନ। ଦିଲ୍ଲୀରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ବୈଠକ ହେବ ଅକ୍ଟୋବର ୩ରେ। ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି ନଭେମ୍ବର ୨୨ରେ।