ଓଡ଼ିଶାରେ ହେବ ମେଟ୍ରୋ । ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ନୂଆ ଢାଞ୍ଚାରେ ଭୁବନେଶ୍ଵର ମେଟ୍ରୋ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବୁ । କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ ।
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । ଏହି କମିଟି ମେଟ୍ରୋ ଚାଲିଥିବା ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ । ମେଟ୍ରୋର ରୂପରେଖ କ’ଣ ରହିବ, କେଉଁ ରାସ୍ତା ଦେଇ ମେଟ୍ରୋ ଟ୍ରାକ ଯିବ । ସେନେଇ ଟେକ୍ନିକାଲ କମିଟି ରିପୋର୍ଟ ଦେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି ।
ବୈଠକରେ ବ୍ୟାପକ ଯୋଜନା କରାଯାଇଛି । କେଉଁ ଲାଇନରେ ମେଟ୍ରୋ ଯିବ, କେଉଁ ଜାଗାରେ ପାର୍କିଂ ଅଞ୍ଚଳ ରହିବ । ସେନେଇ ମଧ୍ୟ ଟେକ୍ନିକାଲ କମିଟି ରିପୋର୍ଟ ଦେବ । ମେଟ୍ରୋ ପାଇଁ ସରକାର ସାଧାରଣ ଲୋକଙ୍କ ମତାମତ ନେବେ । ପୂର୍ବ ସରକାର ଆରମ୍ଭ କରିଥିବା ପୁରୁଣା ମେଟ୍ରୋ ପ୍ରକଳ୍ପ ବନ୍ଦ ରହିବ ।
ପୂର୍ବ ସ୍ଥିରୀକୃତ ପଥରେ ମେଟ୍ରୋ କାମ ପାଇଁ ପରୀକ୍ଷା ନିରୀକ୍ଷା ବେଳେ ଟ୍ରାଫିକ ଜାମ ସ୍ଥିତି ଉପୁଜିଥିଲା । ମାଟି ପରୀକ୍ଷା ବେଳେ ଟ୍ରାଫିକ୍ ଜାମ ହେଉଥିବାରୁ ସେହି ରାସ୍ତାରେ କାମ ହେଲେ ଅବସ୍ଥା ଅସମ୍ଭାଳ ହୋଇଥାଆନ୍ତା ବୋଲି କହିଛନ୍ତି ମନ୍ତ୍ରୀ । ତେଣୁ ନୂତନ ଭାବେ ଗଠନ ହେବାକୁ ଥିବା ଟେକ୍ନିକାଲ କମିଟି ଯାହା ରିପୋର୍ଟ ଦେବ, ସେହି ଅନୁସାରେ ମେଟ୍ରୋ କାମ ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।