ସଂଚାର ବ୍ୟୁରୋ: ସ୍ବାମୀ ସାଜିଲା ସଇତାନ । ଦୁଇ ପ୍ରେମିକାଙ୍କ ସହ ମିଶି ସ୍ତ୍ରୀକୁ ମାରିଦେଲା ସ୍ବାମୀ । ହୋମ ନିଆଁକୁ ସାକ୍ଷୀ ରଖି ହାତ ଧରିଥିବା ସ୍ବାମୀ ଶେଷରେ ଅନ୍ୟ ଯୁବତୀଙ୍କ ପାଇଁ ଜୀବନ ନେବାକୁ ପଛାଇଲାନି । ଆନାସ୍ଥେସିଆ ଇଞ୍ଜେକସନ୍ ଦେଇ ସ୍ତ୍ରୀକୁ ମାରିଦେଲା ସ୍ବାମୀ। ପରକୀୟା ପ୍ରେମ ପାଇଁ ଦୁଇ ପ୍ରେମିକା ଫୋଡିଦେଲେ ଇଞ୍ଜେକସନ୍ । ରାଜଧାନୀ ଭୁବନେଶ୍ବରରେ ଘଟିଛି ଏଭଳି ଘଟଣା । ଓଭରଡୋଜ୍ ଆନେସ୍ଥେସିଆ ନେଇଗଲା ଶୁଭଶ୍ରୀଙ୍କ ଜୀବନ।
ଅଭିଯୁକ୍ତଙ୍କୁ ଧରାଇ ଦେଲା ଫୋଡା ଦାଗ। ସଇତାନ ସ୍ବାମୀ ସହ ଦୁଇ ଯୁବତୀଙ୍କୁ ବାନ୍ଧିଲା ପୋଲିସ। ଭୁବନେଶ୍ବର ଭରତପୁର ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଘଟଣାରେ ସ୍ବାମୀ ପ୍ରଦ୍ୟୁମ୍ନ କୁମାରଙ୍କ ସମେତ ସୋର ଅଞ୍ଚଳର ରୋଜି ପାତ୍ର ଏବଂ ଗଜପତି ଜିଲ୍ଲାର ଏଜିତା ଭୁୟାଁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୮ ତାରିଖରେ ଭରତପୁର ଥାନା ଅଞ୍ଚଳରେ ଶୁଭଶ୍ରୀ ନାୟକ ନାମକ ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ତାଙ୍କ ସ୍ବାମୀ ପ୍ରଦ୍ୟୁମ୍ନ କୁମାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଷ୍ଟମର୍ଟମ ସମୟରେ ମହିଳାଙ୍କ ହାତ ଏବଂ କାନ୍ଧରେ ଇଞ୍ଜେକସନ୍ ଫୋଡା ଦାଗ ରହିଥିବାରୁ ସନ୍ଦେହ ବଢିଥିଲା। ପରେ ପୋଲିସ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ତଦନ୍ତ ଆଗକୁ ବଢାଇଥିଲା। ଅଭିଯୁକ୍ତମାନେ ଶୁଭଶ୍ରୀଙ୍କୁ ଆନସ୍ଥେସିଆ ଇଞ୍ଜେକସନ୍ ଦେଇ ହତ୍ୟା କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିବା ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ଗତ ୮ ମାସ ତଳେ ଖୋର୍ଦ୍ଧାର ଶୁଭଶ୍ରୀ ନାୟକ କେନ୍ଦ୍ରାପଡା ଅଞ୍ଚଳର ପ୍ରଦ୍ୟୁମ୍ନ କୁମାରଙ୍କୁ ବିବାହ କରିଥିଲେ। ପ୍ରଦ୍ୟୁମ୍ନ ଜଣେ ଫାର୍ମାସିଷ୍ଟ ଭାବରେ କାମ କରନ୍ତି। ବୈବାହିକ ଜୀବନ ଭଲରେ ଚାଲୁଥିବା ବେଳେ ଅଭିଯୁକ୍ତ ଦୁଇ ଯୁବତୀ ପ୍ରଦ୍ୟୁମ୍ନଙ୍କ ସମ୍ପର୍କରେ ଆସିଥିଲେ। ପରେ ପରକୀୟା ପ୍ରିତି ପାଇଁ ଶୁଭଶ୍ରୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଅଭିଯୁକ୍ତମାନେ ପ୍ଳାନ୍ ପ୍ରସ୍ତୁତ କରିଥିଲେ। ଅଭିଯୁକ୍ତ ଦୁଇ ଯୁବତୀ ରୋଜି ଏବଂ ଏଜିତା ପେସାରେ ନର୍ସ ବୋଲି ପୋଲିସ ଜାଣିବାକୁ ପାଇଛି। ସମସ୍ତେ ମିଶି ସୋମବାର ଦିନ ଶୁଭଶ୍ରୀଙ୍କୁ ତାଙ୍କ ଭଡା ଘରେ ଇଞ୍ଜେକସନ୍ ଦେଇ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ପରିବାର ଲୋକେ ମଧ୍ୟ ଶୁଭଶ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ କେତେ ପରିମାଣର ଇଞ୍ଜେକସନ୍ ଦିଆଯାଇଛି ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି।
ଅଭିଯୁକ୍ତମାନଙ୍କ ଠାରୁ ଅଧିକ ତଥ୍ୟ ପାଇବା ପାଇଁ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣିବ। ଏହାସହ ଅଭିଯୁକ୍ତମାନଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିୟେସନ୍ କରିବା ପରେ ଅଧିକ ପ୍ରମାଣ ମିଳିପାରିବ। ଏଭଳି ଏକ ବିରଳ ଘଟଣା ରାଜଧାନୀରେ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।