ପୁଣି ଗର୍ଜିଛି କମିସନରେଟ୍ ପୁଲିସ୍ ବନ୍ଧୁକ। ରାଜଧାନୀ ଭୁବନେଶ୍ୱରରେ ଡବଲ୍ ଏନକାଉଣ୍ଟର । ପୁଲିସ୍ ଗୁଳିରେ ଦୁଇ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି । ଦୁଇ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଏନ୍କାଉଣ୍ଟର୍ କରି ଘାଇଲା କରିଛି ପୁଲିସ୍। ସେମାନେ ହେଲେ, ବିହାରର ମନୀଷ କୁମାର ଯାଦବ ଏବଂ ସୋନୁ କୁମାର ଯାଦବ। ବାଙ୍କୁଆଳ ନଦୀପଠା ନିକଟରେ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ସେମାନଙ୍କୁ ଏନ୍କାଉଣ୍ଟର୍ କରିଛି। ମନୀଷର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ସୋନୁର ବାମ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ ପୁଲିସ୍ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ଦୁହିଁଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ୍ ଦୁଇଟି ବନ୍ଧୁକ, ୧୦ଟି ଗୁଳି ଜବତ କରିଛି। ପୁଲିସ୍ ସୂଚନାନୁସାରେ ଅଭିଯୁକ୍ତଦ୍ବୟ ଏକ ଏଟିଏମ୍ ଲୁଟେରା ଗ୍ୟାଙ୍ଗର୍ ସଦସ୍ୟ। ଏହି ଗ୍ୟାଙ୍ଗ୍ର ଦୀପକ କୁମାରକୁ ବଡ଼ଗଡ଼ ଥାନା ପୁଲିସ୍ ପୂର୍ବରୁ ଏନ୍କାଉଣ୍ଟର୍ କରିଥିଲା।
ଦୀପକ ଧରାପଡ଼ିବା ପରେ ପୁଲିସ୍ ମନୀଷ ଓ ସୋନୁର ସନ୍ଧାନରେ ଥିଲା। ଗୁରୁବାର ରାତି ପ୍ରାୟ ୧୧ଟାରେ ଦୁହେଁ ଏକ ପଲସର୍ରେ ବାଙ୍କୁଆଳ ନଦୀପଠାରେ ଲୁଟପାଟ୍ ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସ୍ର ଏକ ଟିମ୍ ସେଠାରେ ପହଞ୍ଚିଥିଲା। ପୁଲିସ୍କୁ ଦେଖିବା କ୍ଷଣି ଅଭିଯୁକ୍ତମାନେ ଖସିଯିବାକୁ ଉଦ୍ୟମ କରିଥିଲେ। ପୁଲିସ୍ ସେମାନଙ୍କୁ ଘେରିଯିବାରୁ ଲୁଟେରାଦ୍ବୟ ପୁଲିସ୍ ଉପରକୁ ଗୁଳି ଚଳାଇଥିଲେ। ପୁଲିସ୍ ଏହାର ପାଲଟା ଜବାବରେ ସେମାନଙ୍କ ଉପରେ ଗୁଳି ଚାଳନା କରିଥିଲା। ଏଥିରେ ଦୁଇ ଲୁଟେରାଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେମାନେ ଆଉ ଖସି ଯାଇ ନପାରି ତଳେ ପଡ଼ି ଯାଇଥିଲେ।