‘ ପୂଜା ପୂର୍ବରୁ ମୁଁ ସରକାରଙ୍କୁ ସତର୍କ କରାଇଥିଲି । କିଛି ଅସାମାଜିକ ବ୍ୟକ୍ତି ଏଥରକ କଟକ ପୂଜା ଉତ୍ସବରେ କଣ ବି କରିପାରନ୍ତି । ହେଲେ ସେମାନଙ୍କୁ ଚିହ୍ନଟ କରାଗଲାନି କି ନଜରବନ୍ଦ କରାଗଲାନି । ଫଳରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଲା ।’ ରବିବାର କଟକ ସହର ହିଂସାକାଣ୍ଡକୁ ନେଇ ସରକାରଙ୍କୁ ଏପରି ତେରେଛା ବାଣ ମାରିଛନ୍ତି ଖୋଦ କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ତାଙ୍କ କହିବା କଥା, କିଛି ଅପରାଧୀ ଜେଲରୁ ବାହାରିଛନ୍ତି । ସେମାନଙ୍କୁ କିଛି ଲୋକ ପ୍ରୋତ୍ସାହିତ କରୁଛନ୍ତି ଗୋଳମାଳ କରିବା ପାଇଁ । ଦୁର୍ଭାଗ୍ୟର କଥା ଭସାଣ ଦିନ ପ୍ରଥମେ ହାତୀପୋଖରୀ ପାଖରେ ହିଂସାକାଣ୍ଡ ଘଟିଲା । ପରେ ସେହିଦିନ ରାତି ପ୍ରାୟ ୨ଟା ବେଳକୁ ଦରଘାବାଜର ଥାନା ଅଞ୍ଚଳରେ ଆହୁରି ଉଗ୍ରରୂପ ନେଲା । ତା’ପରେ ବି ମୋଟର ସାଇକେଲ ରାଲି ପାଇଁ ଯେତେବେଳେ କିଛି ଲୋକ ଉଦ୍ୟମ କଲେ ସେମାନଙ୍କୁ ବକ୍ସିବଜାରଠାରେ ପୋଲିସ ଅଟକାଇଲା । ଯାହାକୁ ନେଇ ଗଣ୍ଡଗୋଳ ହେବା ସହ ଜଳାପୋଡ଼ା ଘଟଣା ଘଟିଲା । ସରକାରଙ୍କୁ ନିବେଦନ ଯିଏ ବି ଏଥିରେ ସଂଶ୍ଲିଷ୍ଟ ସେମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ତାଛଡ଼ା ଭସାଣ ଗଣ୍ଡଗୋଳକୁ ନେଇ ସୋସିଆଲ ମିଡିଆରେ ୨ ଜଣ ଲୋକ ପ୍ରାଣ ହରାଇଥିବା ନେଇ ଅସତ୍ୟ ଗୁଜବ ପ୍ରଚାର କରାଗଲା । ଯାହାକି ଆଦୌ ସତ୍ୟ ନୁହେଁ । ସୋସିଆଲ ମିଡିଆ ଉପରେ ଆଗରୁ କଟକଣା ଜାରି କରିବାର ଥିଲା । ଯେଉଁମାନେ ଏପରି ଅପପ୍ରଚାର କରିଛନ୍ତି ସେମାନଙ୍କୁ ପୋଲିସ ପ୍ରଶାସନ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କରିଛନ୍ତି ଭର୍ତ୍ତୃହରି ।

