କାନ୍ଥ କଣା କରି ନେଇଗଲେ ୮୦ ଲକ୍ଷ ଟଙ୍କାର ମୋବାଇଲ୍। ପୁଣି ଭଦ୍ରକ ପୋଲିସକୁ ଲୁଟେରାଙ୍କ ଖୋଲ ଚ୍ୟାଲେଞ୍ଜ। ଭଣ୍ଡାରିପୋଖରୀ ଥାନା ଠାରୁ ମାତ୍ର 300 ମିଟର ଦୂରରେ ଥିବା ଏକ ମୋବାଇଲ ପଏଣ୍ଟରୁ ରାତି ଅଧିଆ ଲୁଟ ହୋଇଛି। କାନ୍ଥ କଣା କରି ମୋବାଇଲ ଦୋକାନରେ ପଶି ପ୍ରାୟ ୪ ଶହ ମୋବାଇଲ୍ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଭଣ୍ଡାରିପୋଖରୀ ବଜାରରୁ ଏହି ଲୁଟ ହୋଇଛି। ଥାନା ଠାରୁ ମାତ୍ର 3 ଶହ ମିଟର ଦୂରରେ ଥବା ମା ତାରିଣୀ ମୋବାଇଲ୍ ପଏଣ୍ଟରୁ ଲୁଟ ହୋଇଛି। ଲୁଟ ହୋଇଥିବା ମୋବାଇଲ୍ ଗୁଡିକର ଆନୁମାନିକ ମୂଲ୍ୟ 80 ଲକ୍ଷରୁ ଅଧିକ ହୋଇଥିବା କହିଚନ୍ତି ଦୋକାନ ମାଲିକ। ଦୋକାନ ସିସିଟିଭିର ଗୋଟିଏ ହାର୍ଡ ଡିସ୍କ ଲୁଟେରା ନେଇଥିବା ବେଳେ ଅନ୍ୟ ଗୋଟିଏ ହାର୍ଡ ଡିସ୍କ ପୋଲିସକୁ ହସ୍ତାନ୍ତର କରାଯାଇଛି। ଭଦ୍ରକରୁ ଡଗ ସ୍କ୍ଵାଡ୍ ଆସି ଘଟଣାସ୍ଥଳରୁ ଯାଇ ଏକ ବିଲ ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ଠାବ କରିଥିଲା। ସନ୍ଧାନୀ କୁକୁର ଠାବ କରିଥିବା ବ୍ୟକ୍ତିକୁ ପୋଲିସ ଅଟକ ରଖିଛି। ଲୁଟ ହୋଇଥିବା ମୋବାଇଲରେ ୮ଟି ଆଇ ଫୋନ୍ ସହ ଅନେକ ଦାମୀ ମୋବାଇଲ୍ ରହିଥିବା କହିଛନ୍ତି ଦୋକାନ ମାଲିକ।