ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ବସ୍ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ଧର୍ମଘଟକୁ ଓହ୍ଲାଇଲା ଡ୍ରାଇଭର ସଂଘ l ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧର୍ମଘଟକୁ ଓହ୍ଲାଇଛି ସଂଘ। ଫଳରେ ଖଲ୍ଲିକୋଟରେ ମୁଖ୍ୟମନ୍ତ୍ରୀ ବସ ଚଳାଚଳ ବନ୍ଦ ରହିଛି। ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଆଇତିପୁର ପଞ୍ଚାୟତ ଠାରୁ ଖଲ୍ଲିକୋଟ ଅଭିମୁଖେ ଆସୁଥିଲା ବସ। ରହଣୀ ନ ଥିବା ସ୍ଥାନରେ ଦୁଇଟି ବାଇକ୍ ଯୋଗେ ଚାରି ଜଣ ଆସି ବସଟିକୁ ଅଟକେଇବାକୁ ଚେଷ୍ଟା କରିଥିଲେ। ବସଟି ସେଠାରେ ନରଖି କେଶପୁର ସ୍ଥିତ ନାରାୟଣୀ ପେଟ୍ରୋଲ ପମ୍ପ ଠାରେ ଅଟକି ଥିଲା। ବାଇକରେ ଆସୁଥିବା କିଛି ଅସାମାଜିକ ବ୍ୟକ୍ତି ବସର ପିଛା କରି ବସ ରହଣୀ ସ୍ଥାନକୁ ଆସି ଡ୍ରାଇଭରଙ୍କୁ ବସରୁ ଟାଣି ଆଣି ମାଡ ମାରିଥିଲେ। ଏ ନେଇ ଗତ କାଲି ସନ୍ଧ୍ୟାରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ ଡ୍ରାଇଭର। ମାଡ଼ ମାରିଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଧର୍ମଘଟକୁ ଓହ୍ଲାଇଛି ଡ୍ରାଇଭର ସଂଘ। ନ୍ୟାୟ ନ ମିଳିବା ଯାଏଁ ଚକା ବନ୍ଦ ଆନ୍ଦୋଳନ ବଳବତ୍ତର ରହିବା ନେଇ ଚେତାବନୀ ଦେଇଛି ସଂଘ। ଏହି ଧର୍ମଘଟରେ ଖଲିକୋଟ ବ୍ଲକରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ଡ୍ରାଇଭର ଓ କଣ୍ଡକ୍ଟର ସାମିଲ ଅଛନ୍ତି। ଫଳରେ ବସ ଚଳାଚଳ ବନ୍ଦ ରହିଛି।