ସଂଚାର ବ୍ୟୁରୋ: ଦୁଲୁକିବ ବ୍ରହ୍ମପୁର ସହର । ଆଜିଠୁ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଦୁଇବର୍ଷ ପରେ ପୁଣି ବାପା ଘରକୁ ଯିବେ ମାଆ ବୁଢୀ ଠାକୁରାଣୀ । ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଯାତ୍ରା । ୨୬ ଦିନ ଧରି ଦେଶୀ ବେହେରା ସାହିର ଅସ୍ଥାୟୀ ମନ୍ଦିରରେ ପୂଜା ପାଇବେ ମାଆ । ପ୍ରତିଦିନ ସ୍ବତନ୍ତ୍ର ପୂଜାନୀତି ସମ୍ପାଦନ କରିବେ ପୂଜକ । ବ୍ରହ୍ମପୁରର ବିଭିନ୍ନ ସାହି ପରିଦର୍ଶନ କରିବେ ମାଆ । ଏଥିପାଇଁ ମାଁଙ୍କ ଅସ୍ଥାୟୀ ପୀଠକୁ ସଜ୍ଜିତ କରାଯାଉଛି । ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗ ଫୁଲରେ ମା’ଙ୍କ ଅସ୍ଥାୟୀ ପୀଠକୁ ସଜାଇବାରେ ଲାଗିଛନ୍ତି ଫୁଲ ବ୍ୟବସାୟୀ । ଆଜି ସନ୍ଧ୍ୟା ୫ଟାରେ ମା’ଙ୍କ ଯାତ୍ରା ନେଇ ଚାଙ୍ଗୁଡି ପୂଜା ହେବ । ରାତ୍ର ୧୧ଟା ସମୟରେ ଦେଶୀ ବେହେରା ସାହିରୁ ଏକ ବିରାଟ ପଟୁଆରରେ ମା’ଙ୍କ ମନ୍ଦିରରେ ପହଞ୍ଚିବେ ମାଙ୍କ ବାପା ସମେତ ସହରବାସୀ । ସେଠାରେ ମା’ଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମା’ଙ୍କ ଆଜ୍ଞାମାଳ ଧରି ପୁଣି ବିରାଟ ପଟୁଆରରେ ଦେଶୀ ବେହେରା ସାହିକୁ ଆସି ଆଜ୍ଞାମାଳକୁ ସ୍ଥାପନ କରିବା ପରେ ଆରମ୍ଭ ହେବ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ମା’ଙ୍କ ଆଗମନକୁ ନେଇ ସହରବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।