ବ୍ରହ୍ମପୁର ସହରରେ ଆଧ୍ୟାତ୍ମିକ ମାହୋଲ । ଉତ୍ସାହ ଓ ଆନନ୍ଦର ସହିତ ଚାଲିଛି ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ପ୍ରସିଦ୍ଧ ଯାତ୍ରାରେ ଏକ ନିଆରା ପରମ୍ପରା ହେଉଛି ଘଟ ଯାତ୍ରା । ଘଟଯାତ୍ରାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ମାଁଙ୍କ ଯାତ୍ରା ଆରମ୍ଭ ହେବା ପରେ ମାଁ ଚାଙ୍ଗୁଡ଼ିରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଯାତ୍ରାର ୩ ଦିନ ପରେ ମାଆଙ୍କ ଚାଙ୍ଗୁଡ଼ିରୁ ହାଣ୍ଡି ତଥା ଘଟକୁ ପରିବର୍ତ୍ତନ ହୋଇଥାନ୍ତି । ଯାତ୍ରାର ୩ଦିନର ଆଜି ସକାଳ ସମୟରେ ବ୍ରହ୍ମପୁର କୁମ୍ଭାରପଲ୍ଲୀରୁ ମାଆଙ୍କ ନିମନ୍ତେ ମୁଖ୍ୟ ହାଣ୍ଡି ସମେତ ଅନ୍ୟ ୮ଟି ପାର୍ଶ୍ବ ହାଣ୍ଡି ସହ ଦୀପ, ସରା ଭଳି ବିଭିନ୍ନ ମାଟି ସାମଗ୍ରୀ ଆଣି ମାଆଙ୍କ ବାପା ଘରକୁ ଆସିଥିଲେ କୁମ୍ଭକାର ପରିବାର । କୁମ୍ଭକାର ପରିବାର ପକ୍ଷରୁ ହାଣ୍ଡି ମାଆଙ୍କ ବାପ ଘରେ ପହଞ୍ଚିବା ପରେ ବାପା ଘରକୁ ଆସିଥାନ୍ତି ଆଇନାବନ୍ଧ ସାହିର ଏକ ପରିବାର । ଏହି ସମସ୍ତ ଘଟକୁ ଚିହ୍ନିତ କରିବା ପାଇଁ ଘଟ ଗୁଡ଼ିକୁ ମାଆଙ୍କ ସଙ୍କେତ ରଙ୍ଗରେ ରଙ୍ଗିନ କରାଯାଇଥାଏ । ମାଆ ବୁଢ଼ୀ ଠାକୁରାଣୀଙ୍କ ଘଟର ରଙ୍ଗ ରକ୍ତ ବର୍ଣ୍ଣ ହୋଇଥିବା ବେଳେ ହାଣ୍ଡିରେ ଦୁଇଟି ପାଦର ଚିହ୍ନ ମଧ୍ୟ କରାଯାଇଥାଏ । ସେହିପରି ଅନ୍ୟ ୮ ଟି ହାଣ୍ଡିର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ମାଆଙ୍କ ଏହି ଘଟକୁ ପିଢ଼ି ପିଢ଼ି ଧରି ଆଇନବନ୍ଧର ସମ୍ପୃକ୍ତ ପରିବାର ଚିତ୍ରଣ କରି ଆସୁଥିବା ବେଳେ ଏଭଳି ସେବା କରି ସେମାନେ ବେଶ ଆନନ୍ଦ ଥିବା କହିଛନ୍ତି ଘଟକୁ ଚିତ୍ରଣ କରୁଥିବା ମହିଳା ।