ଭଦ୍ରକ ଜିଲ୍ଲା ଜାମୁଝାଡି ବାସୁଦେବପୁର ରାସ୍ତାର ମଖଲପୁର ଛକ ନିକଟରେ ବାଲି ବୋଝେଇ ଓ କୋଇଲା ବିଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ଆଜି ଅପରାହ୍ନରେ ଧାମରାରୁ ଜାମୁଝାଡି ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରକକୁ ଜାମୁଝଡ଼ିରୁ ଆସୁଥିବା ବାଲି ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ବାଲି ବୋଝେଇ ଟ୍ରକର ଡ୍ରାଇଭର ଘଟଣାସ୍ଥଳରେ ଚାପିହୋଇ ମୃତ୍ୟୁ ଘଟିଥିବା ବେଳେ କୋଇଲା ବୋଝେଇ ଟ୍ରକର ଡ୍ରାଇଭର ଓ ହେଲପର ଚାପି ହୋଇ ଗାଡି ମଧ୍ୟରେ ରହିଯାଇଥିଲେ ।
ଖବର ପାଇ ବାସୁଦେବପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟର ସାହାର୍ଯ୍ୟରେ ଉଭୟ ଗାଡିର ଡ୍ରାଇଭରଙ୍କୁ ଅକ୍ଲାନ୍ତ ପରିଶ୍ରମ କରି ବାହାର କରି ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ମୃତକ ବାଲି ଗାଡିର ଡ୍ରାଇଭର ଗୋରଙ୍ଗ ମହାରଣା ବୋଲି ଜଣାପଡ଼ିଛି । ସେହିପରି ଗୁରୁତର କୋଇଲା ଗାଡିର ଡ୍ରାଇଭର ଜୟନ୍ତ କୁମାର ଦାସ ଓ ହେଲପରର ପରିଚୟ ମିଳିପାରି ନାହିଁ । ଉଭୟଙ୍କୁ ଚିକିତ୍ସା ନିମନ୍ତେ କଟକ ଡାକ୍ତରଖାନାକୁ ପଠାଯାଇଛି ।