ସଂଚାର ବ୍ୟୁରୋ: ବାଇଗଣ ମୂଲଚାଲକୁ ନେଇ ପରିବା ଦୋକାନୀଙ୍କୁ ଛୁରା ମାଡ଼ । ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି । ରବିବାର ରାତିରେ ବାରଙ୍ଗ ବଜାର ପରିବା ମାର୍କେଟରେ ବାଇଗଣ କିଣାକୁ କେନ୍ଦ୍ରକରି ନନ୍ଦନକାନନର ଜଣେ ଗାଇଡ ପରିବା ବ୍ୟବସାୟୀଙ୍କୁ ଛୁରୀରେ ଆକ୍ରମଣ କରିଥିବାନେଇ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଆକ୍ରମଣକାରୀଙ୍କୁ ଧରିବାରେ ସକ୍ଷମ ହୋଇ ପାରିନାହିଁ ପୋଲିସ ।
ରବିବାର ରାତିପ୍ରାୟ ସାଢ଼େ ୮ଟା ପାଖାପାଖି ଦାରୁଠେଙ୍ଗ ଗ୍ରାମର ଟୁଲୁ ବେହେରା ଯିଏକି ନନ୍ଦନକାନନରେ ଗାଇଡ ବାବେ କାମ କରୁଛନ୍ତି ସିଏ ପରିବା କିଣିବା ପାଇଁ ବାରଙ୍ଗ ବଜାର ପରିବା ମାର୍କେଟକୁ ଆସିଥିଲେ । ପଦାସାହି ଗ୍ରାମର ବୁଲୁ ଜେନା ବସିଥିବା ପାଲି ପାଖକୁ ଆସି ବାଇଗଣ କିଣିବା ପାଇଁ ମୁଲଚାଲ କରିଥିଲେ । ବାଇଗଣ ମୁଲ୍ୟକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଯେଉଁଠି ସୁବିଧା ହେଉଛି ସେଠାରୁ କିଣିବା ପାଇଁ ବୁଲୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଟୁଲୁ ପାଖ ଦୋକାନକୁ୍ ଯାଇ କଖାରୁ କାଟିବା ପାଇଁ ରହିଥିବା ଏକ ବଡ ଛୁରୀକୁ ଆଣି ବୁଲୁକୁ ଆକ୍ରମଣ କରିଥିଲେ । ବୁଲୁର ମୁଣ୍ଡ ଓ ଡାହଣହାତ ଖୁଆକୁ ହାଣିଦେବାରୁ ସେ ରକ୍ତାତ ହୋଇଥିଲେ ।

