ସଂଚାର ବ୍ୟୁରୋ: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟକୁ ନାଟକୀୟ ଢଙ୍ଗରେ ଜିତି ଇତିହାସ ରଚିଛି ବାଂଲାଦେଶ। ପାକିସ୍ତାନକୁ ଘରୋଇ ପରିବେଶରେ ଧୂଳି ଚଟାଇଛି ବାଂଲାଦେଶ। ଏହା ପାକିସ୍ତାନ ବିପକ୍ଷରେ ବାଂଲାଦେଶର ପ୍ରଥମ ଟେଷ୍ଟ ବିଜୟ। ଏହାପୂର୍ବରୁ ଦୁଇ ଦଳ ୧୫ ଥର ଟେଷ୍ଟ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିବା ବେଳେ ସବୁ ଥର ପାକିସ୍ତାନ ଜିତୁଥିଲା କିମ୍ବା ମ୍ୟାଚ୍ ଡ୍ର ହେଉଥିଲା।
ହେଲେ ରାୱଲପିଣ୍ଡିରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ର ଶେଷ ଦିନରେ ବାଂଲାଦେଶ କମାଲ କରି ଦେଇଛି। ନାଟକୀୟ ଢଙ୍ଗରେ ଦଳ ପାକିସ୍ତାନକୁ ୧୦ ୱିକେଟରେ ହରାଇ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।
ଶେଷ ଦିନରେ ପାକିସ୍ତାନ ୨୩/୧ରୁ ଖେଳ ଆରମ୍ଭ କରିଥିଲା। ଲାଗୁଥିଲା ମ୍ୟାଚ୍ ଡ୍ର ରହିବ। କାରଣ ବାଂଲାଦେଶର ପ୍ରଥମ ଇନିଂସ ସ୍କୋର ଠାରୁ ପାକିସ୍ତାନ ୯୪ ରନ ପଛରେ ରହିଥିଲା। ହେଲେ ଶେଷ ଦିନରେ ବାଂଲାଦେଶର ସ୍ପିନ ଯୋଡ଼ି ମେହିଦୀ ହାସନ ମିରାଜ ଓ ଅଭିଜ୍ଞ ସାକିବ ଅଲ ହାସନ ନିଜର ଯାଦୁ ଦେଖାଇଥିଲେ।
ମିରାଜ ୪ଟି ଓ ସାକିବ ୩ଟି ୱିକେଟ ନେବାରୁ ପାକିସ୍ତାନ ୧୪୬ ରନରେ ଅଲଆଉଟ ହୋଇଯାଇଥିଲା। ନାହିଦ ରାଣା, ଶୋରିଫୁଲ ଇସଲାମ ଓ ହାସନ ମହମ୍ମଦ ମଧ୍ୟ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।