ବାଂଲାଦେଶରେ ଏବେ ନିର୍ବାଚନୀ ମାହୋଲ । ଆଜି ନୂଆ ସରକାର ବାଛୁଛି ବାଂଲାଦେଶ । ଶେଖ୍ ହାସିନାଙ୍କ ବିଦାୟ ପରେ ଏହା ଦେଶର ପ୍ରଥମ ସାଧାରଣ ନିର୍ବାଚନ । କେବଳ ସାଂସଦ ନୁହେଁ, ସମ୍ବିଧାନ ସଂଶୋଧନ ପାଇଁ ଗଣଭୋଟ୍ ମଧ୍ୟ ଦେବେ ଜନତା । ଆଜି ସକାଳ ୭ଟା ୩୦ ମିନିଟରୁ ଅପରାହ୍ନ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମତଦାନ ଜାରି ରହିବ ।
ଦେଶର ମୋଟ ୩୦୦ଟି ସଂସଦୀୟ ଆସନ ମଧ୍ୟରୁ ୨୯୯ଟିରେ ଭୋଟ୍ ଗ୍ରହଣ କରାଯିବ । ପ୍ରଥମ ଥର ପାଇଁ ବାଂଲାଦେଶୀ ଜନତା ଏକାସାଙ୍ଗରେ ଦୁଇଟି ଭୋଟ୍ ଦେବେ – ଗୋଟିଏ ସଂସଦୀୟ ପ୍ରାର୍ଥୀଙ୍କ ପାଇଁ ଏବଂ ଅନ୍ୟଟି ସାମ୍ବିଧାନିକ ସଂସ୍କାର ପାଇଁ ଉଦ୍ଦିଷ୍ଟ ।
ମୋଟ ଭୋଟର ସଂଖ୍ୟା ପ୍ରାୟ ୧୨ କୋଟି ୭୭ ଲକ୍ଷ। ୩୦୦ଟି ଆସନ ପାଇଁ ମଇଦାନରେ ଅଛନ୍ତି ପ୍ରାୟ ୧,୯୮୧ ଜଣ ପ୍ରାର୍ଥୀ । ସାରା ଦେଶରେ ୪୨,୭୬୬ଟି ମତଦାନ କେନ୍ଦ୍ର କରାଯାଇଛି । ବିଦେଶରେ ରହୁଥିବା ପ୍ରବାସୀ ବାଂଲାଦେଶୀମାନେ ଏଥର ପୋଷ୍ଟାଲ ବାଲଟ୍ ଜରିଆରେ ମତଦାନ କରିବାର ସୁଯୋଗ ପାଇଛନ୍ତି । ଏହି ନିର୍ବାଚନରେ ୫୧ଟି ରାଜନୈତିକ ଦଳ ଅଂଶଗ୍ରହଣ କରୁଛନ୍ତି ।
ତେବେ ପୂର୍ବତନ ଶାସକ ଦଳ ଆୱାମୀ ଲିଗ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରାଯାଇଛି । ମୁଖ୍ୟତଃ ବିଏନପି (BNP) ଏବଂ ଜମାତ-ଇ-ଇସଲାମୀ ସମର୍ଥିତ ୧୧-ଦଳୀୟ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବା ଅନୁମାନ କରାଯାଉଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସେନା ଓ ସୁରକ୍ଷା ବାହିନୀକୁ ମୁତୟନ କରାଯାଇଛି। ଭୋଟ୍ ଗ୍ରହଣ ଶେଷ ହେବା ପରେ ସନ୍ଧ୍ୟାରୁ ହିଁ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଫେବୃଆରୀ ୧୩ ତାରିଖ ସୁଦ୍ଧା ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିପାରନ୍ତି।
