ସଂଚାର ବ୍ୟୁରୋ: ବାଂଲାଦେଶରେ ପୁଣି ତେଜିଲା ଉତ୍ତେଜନା। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ଆଜି ପ୍ରକାଶ ପାଇବ ରାୟ। ଢାକାର ଟ୍ରିବ୍ୟୁନାଲ ଅଦାଲତରେ ହେବ ଶୁଣାଣି। ରାୟ ଆସିବା ପୂର୍ବରୁ ରାଜଧାନୀ ଢାକାରେ ତେଜିଛି ଉତ୍ତେଜନା। ଗତକାଲି କିଛି ସ୍ଥାନରେ ବିସ୍ଫୋରଣର ଖବର ମିଳିଛି।ହିଂସାକାଣ୍ଡକୁ ଦେଖି ଦୋକାନ ବଜାର ବନ୍ଦ ରହିଛି। ଅନେକ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ଲୋକେ।ଉତ୍ତେଜନାକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ଗତ ବର୍ଷ ଘଟିଥିବା ଛାତ୍ର ନେତୃତ୍ୱାଧୀନ ବିଦ୍ରୋହ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବାକୁ ପଡିପାରେ।
ଶେଖ ହାସିନାଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ICT ରାୟ ଶୁଣାଇବେ। ଏହି ଐତିହାସିକ ରାୟ ଆସିବ ପୂର୍ବରୁ କର୍ତ୍ତୃପକ୍ଷ ବଢ଼ୁଥିବା ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ଏବଂ ଉତ୍ତେଜନା ବୃଦ୍ଧି ପାଇଥିଲା। ସେପଟେ ରାୟ ପୂର୍ବରୁ ଗତକାଲି ଦଳୀୟ ସମର୍ଥକମାନଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି। ସରକାରୀ ନିଷେଧ ସତ୍ତ୍ୱେ ପ୍ରତିବାଦ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ଡରିବାର କିଛି ନାହିଁ। ମୁଁ ବଞ୍ଚିଛି।
ମୁଁ ବଞ୍ଚିବି। ମୁଁ ଦେଶର ଲୋକଙ୍କୁ ସମର୍ଥନ କରିବି ବୋଲି ସେ ଭିଡିଓରେ ବାର୍ତ୍ତା ଦେଇଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ବାଂଲାଦେଶକୁ ଏକ ଆତଙ୍କବାଦୀ ରାଷ୍ଟ୍ରରେ ପରିଣତ କରାଯାଉଛି। ହତ୍ୟା ଏବଂ ପୋଡ଼ାଜଳା କରୁଥିବା ଲୋକଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ସରକାରଙ୍କୁ ନିନ୍ଦା କରିଛନ୍ତି। ୭୮ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତ ଅଗଷ୍ଟରେ ଘଟିଥିବା ବିଦ୍ରୋହ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।ସେପଟେ ଢାକାରେ ଉତ୍ତେଜନା ବଢୁଥିବାରୁ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
