ସଂଚାର ବ୍ୟୁରୋ: ଅଶାନ୍ତ ଜର୍ଜରିତ ବାଂଲାଦେଶରେ ପୁଣି ଅସ୍ଥିରତା । ଦେଶବ୍ଯାପୀ ଅସହଯୋଗ ଆନ୍ଦୋଳନରେ ବ୍ଯାପକ ହିଂସାକାଣ୍ଡ। ହିଂସାରେ ୫୨ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ, ଶତାଧିକ ହୋଇଛନ୍ତି ଆହତ। ଦେଶର ବହୁ ସ୍ଥାନରେ ହଜାର ହଜାର ଆନ୍ଦୋଳନକାରୀଙ୍କ ସହ ପୋଲିସ ସଂଘର୍ଷ ଘଟିଛି। ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ। ୯ ଦଫା ଦାବିରେ ତଥା ପାତରଅନ୍ତର ନୀତି ଦାବିରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରିବାକୁ ଡାକରା ଦିଆଯାଇଥିଲା । ଶନିବାର ଏନେଇ ସାରା ଦେଶରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ସେପଟେ କୋଟା ବିରୋଧୀ ଆନ୍ଦୋଳନରେ ଗିରଫ ହୋଇଥିବା 43 ପରୀକ୍ଷାର୍ଥୀଙ୍କୁ ଜାମିନ ଦେଇଛନ୍ତି ଅଦାଲତ । ସେପଟେ ଯାତ୍ରାବାରୀ ଅଞ୍ଚଳରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ହାସନ ମେହେଦି ସମେତ ଅନ୍ଯ କେତେକ ସାମ୍ବାଦିକଙ୍କୁ ହତ୍ଯା ପ୍ରତିବାଦରେ ସରକାରଙ୍କୁ ସାମ୍ବାଦିକ ଦେଇଛନ୍ତି ଚେତାବନୀ । ମୃତ ସାମ୍ବାଦିକଙ୍କ ପରିବାରକୁ ତୁରନ୍ତ ସହାୟତା, ଦୋଷୀଙ୍କୁ ଦଣ୍ଡ ଦାବି କରିଛନ୍ତି ସାମ୍ବାଦିକ । ଦେଶରେ ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ଗତ ଶୁକ୍ରବାର କରଓ୍ବାନ ବଜାରରେ ସାମ୍ବାଦିକମାନେ କରିଥିଲେ ମାନବ ଶୃଙ୍ଖଳ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବାବେଳେ ଏହାକୁ ଦମନ କରିବା ଲାଗି ସରକାରଙ୍କ କଠୋର ଆଭିମୁଖ୍ଯ ବିରୋଧରେ ତାତିଛନ୍ତି ଆନ୍ଦୋଳନକାରୀ । ଏହି ଅସହଯୋଗ ଆନ୍ଦୋଳନବେଳେ କର ଓ ଲେଭି ବର୍ଜନ, ବିଦ୍ଯୁତ, ଗ୍ୟାସ, ପାଣି ଓ ଅନ୍ଯାନ୍ୟ ବିଲ୍ ନ ଭରିବା, ସମସ୍ତ ଘରୋଇ ଓ ସରକାରୀ ପ୍ରତିଷ୍ଠାନ, କୋର୍ଟ ବନ୍ଦ କରିବା ଲାଗି ଆହ୍ବାନ ଦେଇଛନ୍ତି ଆନ୍ଦୋଳନକାରୀ