ସଂଚାର ବ୍ୟୁରୋ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଘୋଷଣା କଲା ବାଂଲାଦେଶ । ପାକିସ୍ତାନ ଭଳି ଭାରତକୁ ଚେକ ଦେବାକୁ ପ୍ରସ୍ତୁତ ରହିଛି ବାଂଲାଦେଶ । ଆସନ୍ତା ୧୯ ତାରିଖରୁ ଭାରତରେ ଟେଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ୧୬ ଜଣିଆ ଟିମ ଘୋଷଣା କରିଛି ବାଂଲାଦେଶ । ପୂର୍ବଭଳି ଭାରତ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ବାଂଲାଦେଶର ନେତୃତ୍ୱ ନଜମୁଲ ହୁସେନ ସାଣ୍ଟୋ ନେବେ। ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଜିତିଥିବା ସ୍କ୍ୱାଡରେ ସେମିତି କିଛି ବଡ଼ ପରିବର୍ତ୍ତନ ହୋଇନାହିଁ। ତେବେ ଓପନିଂ ବ୍ୟାଟର ମହମୁଦୁଲ ହାସନ ଜୟ ଦଳକୁ କମବ୍ୟାକ କରିଛନ୍ତି। ସେ ଆହତ ସମସ୍ୟା ଯୋଗୁ ପାକିସ୍ତାନ ବିପକ୍ଷ ସିରିଜକୁ ବାଦ ପଡ଼ିଥିଲେ। ସେ ଦୁଇ ସପ୍ତାହ ଧରି ରିହ୍ୟାବରେ ରହିବା ପରେ ଭାରତ ବିପକ୍ଷ ସିରିଜକୁ ଫେରିଛନ୍ତି।
ପାକିସ୍ତାନ ବିପକ୍ଷ ସ୍କ୍ୱାଡରେ ଥିବା ବାମହାତୀ ଦ୍ରୁତ ବୋଲର ଶୋରିଫୁଲ ଇସଲାମ ଭାରତ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। ଶୋରିଫୁଲ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବା ସହ ୩ଟି ୱିକେଟ ନେଇଥିଲେ। କିନ୍ତୁ ଆହତ କାରଣରୁ ସେ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଥିଲେ। ସେ ଏବେ ବି ସୁସ୍ଥ ହୋଇ ନଥିବାରୁ ତାଙ୍କୁ ଭାରତ ବିପକ୍ଷ ସିରଜରୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଖାଲେଦ ଅହମଦ ସ୍କ୍ୱାଡକୁ ଫେରିଛନ୍ତି। ବାଂଲାଦେଶର ସବୁଠାରୁ ଅଭିଜ୍ଞ ଦ୍ରୁତ ବୋଲର ହେଉଛନ୍ତି ଖାଲେଦ।
ବାଂଲାଦେଶ ପାଇଁ ପ୍ରଥମଥର ପାଇଁ ସୁଯୋଗ ପାଇଛନ୍ତି ଜାକେର ଅଲୀ ଅନିକ। ସେ ଦ୍ୱିତୀୟ ୱିକେଟ କିପର ଭାବେ ସ୍କ୍ୱାଡରେ ରହିଛନ୍ତି। ଲିଟନ ଦାସ ପାକିସ୍ତାନ ଭଳି ଭାରତ ବିପକ୍ଷରେ ମଧ୍ୟ ୱିକେଟ କିପିଂ କରିବେ।
Bangladesh Test Squad for the India Tour 2024#BCB #Cricket #BDCricket #Bangladesh #INDvsBAN pic.twitter.com/1npeXGgkix
— Bangladesh Cricket (@BCBtigers) September 12, 2024