ସଂଚାର ବ୍ୟୁରୋ: ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ପଚା ଘିଅର ବ୍ୟବହାରକୁ ନେଇ ସେବାୟତ ମହଲରେ ଅସନ୍ତୋଷ ତେଜିଛି । ମନ୍ଦିର ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିବାରୁ ଏହାକୁ ଠାକୁରଙ୍କ ପାଖରେ ଲାଗି କରି ନୀତିକାନ୍ତି କରିବେ ନାହିଁ ବୋଲି ସେବାୟତମାନେ ଅଡ଼ି ବସିଥିଲେ । ପରେ ମନ୍ଦିର ପ୍ରଶାସନ ତରଫରୁ ନୂଆ ଘିଅ ଯୋଗାଇ ଦିଆଯିବା ପରେ ରାତି ପ୍ରାୟ ୯ଟା ବେଳକୁ ରାତ୍ରଧୂପ ବଢ଼ିଥିଲା । ଅନ୍ୟପକ୍ଷେ ଘିଅର ପ୍ରସ୍ତୁତି ତାରିଖ ଓ ବ୍ୟବହାର ଅବଧି, ବ୍ୟାଚ୍ ନମ୍ବର ଆଦି ସମ୍ପର୍କରେ କୌଣସି ତଥ୍ୟ ରହୁନଥିବାରୁ ବିବାଦ ସୃଷ୍ଟି ହୋଇଛି ।
ମିଳିଥିବା ତଥ୍ୟ ଅନୁସାରେ, ଓମ୍ଫେଡ୍ ତରଫରୁ ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସମ୍ପାଦନ ଓ ଦୀପ ଜାଳିବା ପାଇଁ ଘିଅ ଯୋଗାଇ ଦିଆଯାଉଛି । ଦିନକୁ ସାଢ଼େ ୩ କିଲୋ ହିସାବରେ ମନ୍ଦିରରେ ମାସକୁ ପ୍ରାୟ ୧ କୁଇଣ୍ଟାଲ ୧୫ କିଲୋ ଘିଅ ବ୍ୟବହୃତ ହୋଇଥାଏ । ଏ ବାବଦକୁ ମାସକୁ ପ୍ରାୟ ୯୦ ହଜାର ଟଙ୍କା ଓମ୍ଫେଡ୍ ନେଉଛି । ଯାହାକୁ ଓମ୍ଫେଡ୍ କଟକ ୟୁନିଟ୍ ଆଜିକୁ ପ୍ରାୟ ୭ ବର୍ଷ ହେବ ଯୋଗାଇ ଦେଉଛି । ପ୍ରତି ୧୫ଦିନରେ ଓମ୍ଫେଡ୍ ମନ୍ଦିର ପ୍ରଶାସନ ଜରିଆରେ ଘିଅ ଯୋଗାଇ ଦେଇଥାଏ । ଏହା ୧୫ କେଜିଆ ଟିଣ ଡବାରେ ପ୍ୟାକିଂ ହୋଇ ଆସିଥାଏ । ଏଥିରେ ଠାକୁରଙ୍କ ନୀତିକାନ୍ତି ସମ୍ପାଦନ କରାଯିବା ସହ ଦୀପରେ ବ୍ୟବହାର ହୋଇଥାଏ । ଗୁରୁବାର ଦ୍ୱିପ୍ରହର ଭୋଗ ପ୍ରସ୍ତୁତି ବେଳେ ଘିଅରୁ ଦୁର୍ଗନ୍ଧ ହେଉଥିବା ଅଭିଯୋଗ ଉଠିଥିଲା । ଘିଅ ଡବାରେ ପ୍ରସ୍ତୁତି ତାରିଖ ନଥିବା ବେଳେ ବ୍ୟବହାର ଅବଧି ବାବଦରେ ସୂଚନା ନଥିଲା । ଯାହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ରାତ୍ରଧୂପ ସମୟରେ ଦୁର୍ଗନ୍ଧ ବାହାରୁଥିବା ଘିଅରେ ନୀତିକାନ୍ତି କରିବେ ନାହିଁ ବୋଲି ସେବାୟତମାନେ ମନା କରି ଦେଇଥିଲେ ।