ସଂଚାର ବ୍ୟୁରୋ: ବନ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁ ଲୁହାଣ କଲେ ଗ୍ରାମବାସୀ। ନବରଙ୍ଗପୁର ଜିଲ୍ଲା ରାଇଘର ନାକଟିସିମଡା କୁସୁମପୁର ସନ୍ଧିରେ ଥିବା ସଂରକ୍ଷିତ ଜଙ୍ଗଲରେ ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମକା ଲଗାଇବାକୁ ବାରଣ କରିବାରୁ ଉଭୟ ପକ୍ଷରୁ ବଚସା ହେବା ସହ ହାତାହାତି ହୋଇଥିଲେ l କୁନ୍ଦେଇ ଫରେଷ୍ଟର ହରିହର ବ୍ରହ୍ମା ଓ ଗାର୍ଡ଼ ଦୀପକ କୁମାର ପ୍ରଧାନଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ଗ୍ରାମବାସୀ l ଆହତ ଅବସ୍ଥାରେ ଫରେଷ୍ଟର ଓ ଗାର୍ଡଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିବାବେଳେ ବେଳେ ରାଇଘର ଥାନାରେ ଅଭିଯୋଗ ହୋଇଛି l ନାକଟିସିମଡ଼ା ଓ କୁସୁମପୁର ସନ୍ଧିରେ କୁସୁମପୁର, ଆମାବେଡା ଓ ଜୈଲଗୁଡା ଗ୍ରାମବାସୀ ପ୍ରାୟ ୪ଶହରୁ ଅଧିକ ସଂରକ୍ଷିତ ଜଙ୍ଗଲକୁ ସଫା କରି ୩୦ ବର୍ଷ ଧରି ମକା ଚାଷ କରି ଆସୁଥିଲେ। ସରକାରଙ୍କ ପକ୍ଷରୁ ବୃକ୍ଷରୋପଣ ପାଇଁ ନିଷ୍ପତ୍ତି ପରେ ଉକ୍ତ ଜଙ୍ଗଲ ଜମିରେ ଗ୍ରାମବାସୀ ମକା ଚାଷ କରୁଥିବାରୁ ବାରଣ କରିଥିଲେ ବନ କର୍ମଚାରୀ। ଯାହାକୁ ନେଇ ତୁମୁଳ କାଣ୍ଡ ହୋଇଥିଲା। ଅନ୍ୟପଟେ ତିନିଗୋଟି ଗାଁର ଶତାଧିକ ଲୋକେ ରାଇଘର ଥାନାରେ ପହଂଚି ଥାନା ଅଧିକାରୀଙ୍କୁ ଭେଟିବା ସହ ବନ କର୍ମଚାରୀଙ୍କ ନାଁରେ ପାଲଟା ଅଭିଯୋଗ କରିଥିବା ଜଣାପଡିଛି। l