ଭିଡ଼ ଭିତରେ ମାଡ଼ । ହାତ ବାନ୍ଧି ଦେଲେ, ତଳେ ପକାଇ ପଶୁ ଭଳି ପିଟି ଚାଲିଲେ । ସମସ୍ତେ ଦେଖୁଥିଲେ, କିନ୍ତୁ କେହି ରୋକି ନଥିଲେ । କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ରାଜଧାନୀ ଭୁବନେଶ୍ଵରର ଛାତି ଉପରେ ଚାଲିଥିଲା ବର୍ବରତା । ଜଣେ ମାନସିକ ବିକାରଗ୍ରସ୍ତଙ୍କୁ ମନ ଇଚ୍ଛା ପିଟୁଥିଲେ ଦୋକାନୀ । ତାହା ପୁଣି ବ୍ୟସ୍ତ ବହୁଳ ଭୁବନେଶ୍ଵର ରେଲୱେ ଷ୍ଟେସନ ପରିସରରେ ।
ଏବେ ଉକ୍ତ ମାଡ଼ ବେଳର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ୧ ନମ୍ବର ପ୍ଲାଟଫର୍ମରେ ଥିବା ଏକ ଦୋକାନର ଜିନିଷ ପତ୍ର ଏଣେତେଣେ ପଡ଼ିଛି । ଜଣେ ଯୁବକଙ୍କ ହାତକୁ ପିଠି ପଛରେ ବାନ୍ଧି ଦେଇ ତଳେ ପକାଇ ଦେଇଛନ୍ତି । ଦୋକାନୀ ଜଣଙ୍କ ହାତରେ ଏକ ବାଡ଼ି ଧରି ଯୁବକଙ୍କୁ ମାଡ଼ ମାରୁଛନ୍ତି ।
ପ୍ଲାଟଫର୍ମରେ ଏକ ଟ୍ରେନ୍ ଛିଡ଼ା ହୋଇଛି । ଶତାଧିକ ଯାତ୍ରୀ ବି ଅଛନ୍ତି । କିନ୍ତୁ କେହି ପ୍ରତିବାଦ କରୁ ନାହାନ୍ତି । ଦୋକାନୀ ଜଣଙ୍କ ତାଙ୍କ ରାଗ ଶାନ୍ତ ହେଲା ପର୍ଯ୍ୟନ୍ତ ନିର୍ଧୁମ୍ ପିଟି ଚାଲିଛନ୍ତି । ବ୍ୟସ୍ତ ବହୁତ ଭୁବନେଶ୍ଵର ରେଲୱେ ଷ୍ଟେସନରେ ମାନସିକ ବିକାରଗ୍ରସ୍ତଙ୍କୁ ଦୋକାନୀ ମାଡ଼ ମାରି ଚାଲିଥିବା ବେଳେ କୌଣସି ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳୁନି ।
ଭୁବନେଶ୍ୱର ରେଲୱେ ଷ୍ଟେସନ ପ୍ଲାଟଫର୍ମରେ ଏଭଳି ସ୍ପର୍ଶକାତର ଘଟଣା ପୁଣି ଥରେ ବାଲିଅନ୍ତାରେ ଭିଡ଼ ସୌମ୍ୟଙ୍କୁ ହତ୍ୟା କରିବା ଘଟଣା ମନେ ପକାଇ ଦେଉଛି । ଏବେ ଭିଡିଓ ଭାଇରାଲ୍ ହେବା ପରେ ଭୁବନେଶ୍ଵର ଜିଆରପି ଥାନା ପୋଲିସ ମାମଲା ରୁଜୁ କରିଛି । ଘଟଣାଟି ଅଗଷ୍ଟ ୧୦ ତାରିଖର ବୋଲି ଜଣାପଡ଼଼ିଛି । ମାନସିକ ବିକାରଗ୍ରସ୍ତ ଜଣଙ୍କ ଦୋକାନୀଙ୍କ ଜିନିଷପତ୍ର ତଳେ ପକାଇ ଦେବାରୁ ଅମାନୁଷିକ ଭାବେ ଏଭଳି ପିଟିଥିବା ଜଣାପଡ଼ିଛି ।
ଭୁବନେଶ୍ଵର ଜିଆରପି ଥାନାର କେସ ନମ୍ବର-୧୬୮/୨୬, ବିଏନଏସ୍ ଧାରା ୧୨୭ (୨) , ୧୧୫ (୨) , ୨୯୬ (ବି) , ୩୫୧ (୨) ଓ ୩ (୫)ରେ ମାମଲା ରୁଜୁ କରାଯାଇଛି । ତେବେ ଘଟଣା ୧୦ ତାରିଖରେ ଘଟିଥିବା ବେଳେ ଜିଆରପି ଆପୋଷ ବୁଝାମଣା କରି ସେତେବେଳେ ଛାଡ଼ି ଦେଇଥିବା ଜଣାପଡ଼ିଛି ।
ଏବେ ଭିଡିଓ ଭାଇରାଲ୍ ପରେ ଜିଆରପି ମାମଲା ରୁଜୁ କରିଛି । ମାନସିକ ବିକାରଗ୍ରସ୍ତ ଯୁବକ ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ତାଲିଗାଁର ଭରତ ବେହେରା । ଜଣେ ମାନସିକ ବିକାରଗ୍ରସ୍ତଙ୍କୁ ଭୁବନେଶ୍ଵର ରେଲୱେ ଷ୍ଟେସନ ଭଳି ସମ୍ବେଦନଶୀଳ ଅଞ୍ଚଳରେ ହାତ ବାନ୍ଧି ତଳେ ପକାଇ ମାଡ଼ ମରାଯିବାକୁ ଜିଆରପି କିଭଳି ଏତେ ହାଲୁକାରେ ନେଇଥିଲା ତାକୁ ନେଇ ବି ପ୍ରଶ୍ନ ଉଠୁଛି ।

