ସଂଚାର ବ୍ୟୁରୋ: ବାଲି ଓ ମାଟି ମାଫିଆଙ୍କ ଲୋଲୁପ ଦୃଷ୍ଟି। ବାଲି ପରେ ଏବେ ମାଟି ଚୋରି। ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମାତିଛନ୍ତି ମାଟି ମାଫିଆ। ଦେବୀ ନଦୀ ପଠା ହେଉ ଅବା ସରକାରୀ ଓ ଗୋଚର ଜମିରୁ ଦିନରାତି ଅହରହ ମାଫିଆ ମାନେ ମାଟି ଲୁଟ କରୁଥିବା ବେଳେ ପ୍ରଶାସନ ନିରବ। ପ୍ରଶାସନର ନିରବତାରେ ଅସ୍ତିତ୍ୱ ହରାଇବାକୁ ବସିଲାଣି ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଥିବା ଅନେକ ସରକାରୀ ଓ ଗୋଚର ଜମି। ରାଜ୍ଵସ ବିଭାଗ ନାକ ତଳେ ଚାଲିଛି ବେଆଇନି ମାଟି ଲୁଟ। ଜେସିବି ଓ ଟ୍ରାକ୍ଟର ଲଗାଇ ବେଧଡକ ଭାବେ ଖୋଳି ଚାଲିଛନ୍ତି ମାଟି ମାଫିଆ। ଦଲାଲଙ୍କ ପକେଟ ଗରମ ହେଉଥିବା ବେଳେ ଦୁର୍ବଳ ହେଉଛି ଦେବୀ ନଦୀପଠା । ରବିବାର ଦିନ ଛୁଟି ଦିନର ସୁଯୋଗ ନେଇ ଅସ୍ତରଙ୍ଗରେ ମାଟି ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ୧୦ଟି ଟ୍ରାକ୍ଟର ଜବତ କରିଛି। କାହିଁକି ଟ୍ରାକ୍ଟର ଚାଳକଙ୍କୁ ଅଟକ ରଖିନାହିଁ ତାହାକୁ ନେଇ ଏବେ ପ୍ରଶ୍ନବାଚୀ। ଅନ୍ୟ ପଟେ ଖଣିଜ ମନ୍ତ୍ରୀ ବିଭୁତିଭୂଷଣ ଜେନା କହିଛନ୍ତି ଜିଲ୍ଲାପାଳ, ତହସିଲଦାରଙ୍କୁ ଚୋରା ଚାଲାଣ ରୋକିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ପୋଲିସ ନିୟୋଜିତ ହୋଇଛନ୍ତି। ଚୋରା ଚାଲାଣକାରୀଙ୍କ ଉପରେ କଡା ନଜର ରଖିବା ସହ ତୁରନ୍ତ ଆକ୍ସନ ନେବାକୁ କୁହାଯାଇଛି। ବେଳ ଥାଉ ଥାଉ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅସ୍ତରଙ୍ଗବାସୀ।