ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଆଇପିଏଲ୍ ୨୦୨୫ ଟାଇଟଲ ଜିତିଥିଲା। RCBର ଏହି ବିଜୟକୁ ନେଇ ପ୍ରଶଂସକ ବହୁତ ଖୁସି ଥିଲେ । ଏହାକୁ ନେଇ ଆୟୋଜିତ ବିଜୟ ପରେଡ ସମୟରେ ୧୧ ପ୍ରଶଂସକଙ୍କ ଜୀବନ ଯିବା ପରେ ଏହି ଉତ୍ସାହ ନିରାଶାରେ ପରିଣତ ହୋଇଯାଇଛି। କେବଳ ଏତିକି ନୁହେଁ ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇ ଚିକିତ୍ସିତ ହେଉଛନ୍ତି। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ଧରି#ArrestKohli ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି।
ଜୁନ ୪ରେ ଏହି ଘଟଣା ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ଶୁକ୍ରବାର ୬ ଜୁନରେ, ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ’Arrest Kohli’ ଟ୍ରେଣ୍ଡ କରିଥିଲେ। ବାଙ୍ଗାଲୋର ଷ୍ଟାମ୍ପେଡର ପରଦିନ ଅର୍ଥାତ ୫ ଜୁନରେ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ମୁମ୍ବାଇ ପହଞ୍ଚିଥିଲେ। ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ଦୁଇଜଣଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା।
କିଛି ଲୋକଙ୍କ ମତରେ ଏହି ଦଳାଚକଟା ବିରାଟ କୋହଲିଙ୍କ ଯୋଗୁ ଘଟିଥିଲା ଏବଂ ତାଙ୍କୁ ଗିରଫ କରାଯିବା ଉଚିତ। ସେହିଭଳି ଆଉ କିଛି ବିରାଟ କୋହଲି ଏତେ ଶୀଘ୍ର ଘରକୁ ଚାଲିଯିବାକୁ ପସନ୍ଦ କରି ନାହାନ୍ତି। କୋହଲିଙ୍କୁ ନିଶ୍ଚିତ ଭାବରେ ପୀଡିତ ପରିବାରଙ୍କୁ ଭେଟିବା ଉଚିତ ଥିଲା ବୋଲି କହିଛନ୍ତି। ତେବେ ଏହି ଦଳାଚକଟା ମାମଲାରେ RCB, କର୍ନାଟକ ରାଜ୍ୟ କ୍ରିକେଟ ସଂଘ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ FIR ରୁଜୁ କରାଯାଇଛି।
ସୂଚନାଯୋଗ୍ୟ, IPL ୨୦୨୫ର ଫାଇନାଲରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ କରିଥିଲା। ବିରାଟ କୋହଲି RCB ପାଇଁ ବିସ୍ଫୋରକ ବ୍ୟାଟିଂ କରିବା ସହିତ ୪୩ ରନର ଏକ ମୂଲ୍ୟବାନ ଇନିଂସ ଖେଳିଥିଲେ। ଜବାବରେ ପଞ୍ଜାବ କିଙ୍ଗ୍ସ ଦଳ ୧୮୪ ରନ କରିପାରିଥିଲା।
IPL ୨୦୨୫ ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ଥିଲା। ସେ ଏହି ଟୁର୍ନାମେଣ୍ଟରେ ୧୫ ମ୍ୟାଚ୍ରେ ୫୪.୭୫ ହାରରେ ଏବଂ ୧୪୪ରୁ ଅଧିକ ଷ୍ଟ୍ରାଇକ ରେଟ୍ରେ ୬୫୭ ରନ୍ କରିଥିଲେ। ଏହି ସିଜନରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୭୩ ରନ ଥିଲା। ୨୦୨୫ ସିଜନରେ ବିରାଟ କୋହଲି ୮ ଅର୍ଦ୍ଧଶତକ ହାସଲ କରିଥିଲେ। ବିରାଟ କୋହଲି ଅରେଞ୍ଜ କ୍ୟାପ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସାଇ ସୁଦର୍ଶନ IPL ୨୦୨୫ ରେ ଅରେଞ୍ଜ କ୍ୟାପ ଜିତିଥିଲେ।