ନୂଆଦିଲ୍ଲୀ : ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ବଦଳିଲା ସିସୋଦିଆଙ୍କ ନିର୍ବାଚନ ମଣ୍ଡଳି । ଅବଧ ଓଝାଙ୍କୁ ମିଳିଲା ଟିକେଟ୍ । ଦ୍ୱିତୀୟ ତାଲିକା ଜାରି କଲା ଆପ୍ । ତାଲିକାରେ ୨୦ ପ୍ରାର୍ଥୀଙ୍କ ନାଁ ସାମିଲ । ମନୀଷ ସିସୋଦିଆଙ୍କୁ ଜଙ୍ଗପୁରା, ଅବଧ ଓଜାଙ୍କୁ ପାଟପଡ଼ଗଞ୍ଜରୁ ଟିକେଟ୍ ଦେଲା ଆପ୍ ।
ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ । ଆସନ୍ତା ବର୍ଷ ପଡ଼ିବ ଭୋଟ୍ । ଏଥିପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ସମସ୍ତ ଦଳର ନେତା । କାହାକୁ ମିଳିବ ଟିକେଟ୍ ସେନେଇ ଚାଲିଛି ଅଙ୍କକଷା । ଏହାରି ଭିତରେ ସୋମବାର ଆମ୍ ଆଦମୀ ପାର୍ଟି ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆପ୍ ଜାରି କରିଥିବା ଏହି ତାଲିକାରେ ୨୦ ଜଣଙ୍କ ନାଁ ସାମିଲ । ଏଥର ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସିଟ୍ ବଦଳାଇ ଦିଆଯାଇଛି ।
ଏଥର ତାଙ୍କୁ ପାଟପଡ଼ଗଞ୍ଜ ବଦଳରେ ଜଙ୍ଗପୁରାରୁ ଫିଲ୍ଡିଂ କରାଯାଇଛି । ସେହିପରି ନିକଟରେ ଆପ୍ରେ ଯୋଗ ଦେଇଥିବା ଅବଧ ଓଝାଙ୍କୁ ଦଳ ପାଟପଡ଼ଗଞ୍ଜରୁ ମୈଦାନକୁ ଓହ୍ଲାଇଛି । କୋଚିଂ କ୍ଲାସ୍ ଚଳାଉଥିବା ଚର୍ଚ୍ଚିତ ଶିକ୍ଷକ ଅବଧ ଓଝା ନିକଟରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ତେବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେନେଇ କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ବର୍ତ୍ତମାନ ଏହା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସେ ମନୀଷ ସିସୋଦିଆଙ୍କ ଆସନ ପାଟପଡ଼ଗଞ୍ଜରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସିସୋଦିଆ କ୍ରମାଗତ ତିନିଥର ଏହି ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ ସେ ବହୁତ କମ୍ ଭୋଟ୍ ବ୍ୟବଧାନରେ ଏଠାରୁ ଜିତିଥିଲେ ।
ପ୍ରଥମ ତାଲିକାରେ ୧୧ ଜଣଙ୍କ ନାଁ ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ୨୦ ଜଣ ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।